ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ପ୍ରସିଦ୍ଧ ଗାୟକ କେକେ ଓରଫ କୁଷ୍ଣ କୁମାର କୁନ୍ନଥଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମାତ୍ର ୫୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି। କୋଲକାତାରେ ଏକ କନସର୍ଟ କରିବାକୁ ଯାଇଥିବାବେଳେ ଅଚାନକ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କ ବିୟୋଗ ଖବର ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଶୋକବ୍ୟକ୍ତ କରିଛନ୍ତି।

କେକେଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। ଦୁଇଦିନିଆ କନସର୍ଟ ପାଇଁ କେକେ କୋଲକାତା ଆସିଥିଲେ। ଗତ ସୋମବାର ପ୍ରଥମ କନସର୍ଟ ସରିଥିବାବେଳେ ମଙ୍ଗଳବାର ଦ୍ଵିତୀୟ କନସର୍ଟ ଚାଲିଥିଲା। ଏହି ସମୟରେ ତାଙ୍କର ସ୍ଵାସ୍ଥ୍ୟ ଅଚାନକ ବିଗିଡ଼ି ଯାଇଥିଲା ଏବଂ ଡାକ୍ତରଖାନାରେ ହିଁ ସେ ପ୍ରାଣ ହରାଇଥିଲେ।

କେକେଙ୍କ ନିଧନ ଖବରରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ଅନେକ ଗାୟକ, କଳାକାର କେକେଙ୍କ ସ୍ଵରର ଯାଦୁକୁ ମନେ ପକାଇ ଶୋକ ବ୍ୟକ୍ତ କରିଛନ୍ତି। ବଲିଉଡ ଗାୟକ ଜାଭେଦ ଅଲ୍ଲୀ, ଉଦିତ ନାରାୟଣ, କୁମାର ସାନୁ, ବଲିଉଡ ଅଭିନେତା ବୋମନ ଇରାନୀ ଏବଂ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର କେକେଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନଥିବା କହିଛନ୍ତି। ଏହା ସହ କେକେଙ୍କ ମୃତ୍ୟୁ ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେମାନେ କହିଛନ୍ତି।

Tags: #BollywoodSinger #KK #KKPassedAway #LastConcert

Comment