ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଜୁନ ୧୨ ତାରିଖରେ ଟି-୨୦ ମ୍ୟାଚ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ ଦଳ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ଏହି ସେବା ପାଇଁ ବସ୍ ଭଡ଼ା ଫ୍ଲାଟ ୪୦ ଟଙ୍କା ରହିବ। ମାଷ୍ଟର କ୍ୟାଣ୍ଟିନ୍‌ରୁ ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡ଼ିୟମ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପଟିଆ ରାସ୍ତା ଦେଇ ସିଧାସଳଖ ବାରବାଟୀ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ମୋ ବସ୍ ଯିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାଏବଂ ବାହାର ରାଜ୍ୟରୁ ଆସୁଥିବା ଖେଳ ପ୍ରେମୀ ପ୍ରାୟ ଭୁବନେଶ୍ୱର ଦେଇ କଟକ ଆସୁଥିବାରୁ କ୍ରୁଟ୍‌ର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି କୁହାଯାଉଛି। ରାତି ୭ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ଦିନିକିଆ ଟି-୨୦ ମ୍ୟାଚ୍‌ରେ ଯାତ୍ରୀମାନେ ସ୍ୱତନ୍ତ୍ର ମୋ ବସ୍‌ ସେବାର ସୁବିଧା ପାଇପାରିବେ।

ପୂର୍ବରୁ କଟକରେ ମୋ ବସ୍ ସେବା ଜାରି ରହିଥିବାରୁ କଟକ ଯାତ୍ରୀ ଉତ୍ସାହିତ ରହିଛନ୍ତି। କଟକ ଯାତ୍ରୀଙ୍କ ପାଇଁ ଜୁନ ୮ ତାରିଖରୁ କଟକର ୪ଟି ନୂଆ ରୁଟ୍‌ରେ ମୋ ବସ ସେବା ଆରମ୍ଭ ହୋଇଛି।

Tags: #Sports #T20Match #SpecialMoBusSeba

Comment