ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ପରେ ବିସ୍ଫୋରଣ ହୋଇ ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ନିକଟରେ। ମୃତକଙ୍କ ମଧ୍ୟରେ ରହିଛନ୍ତି ଡିଜେଲ ଟ୍ୟାଙ୍କର ଡ୍ରାଇଭର, ହେଲପର ଏବଂ ଉଦ୍ଧାର କରିବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ।

୧୦,୦୦୦ କିଲୋ ଲିଟର ପେଟ୍ରୋଲ ଓ ୧୦,୦୦୦ କିଲୋ ଲିଟରଡିଜେଲ ବୋଝେଇ ଏକ ଟ୍ୟାଙ୍କର ପାରାଦୀପରୁ ପାଟଣାଗଡ଼ ଅଭିମୁଖେ ଯାଉଥିଲା। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ନିକଟ ୫୭ ନଂ ଜାତୀୟ ରାଜପଥ କୁସୁମୀ ବ୍ରିଜ ଉପରେ ଏହି ଟ୍ୟାଙ୍କରଟି ଭାରସାମ୍ୟ ହରାଇ ପ୍ରାୟ ୪୦ରୁ ୫୦ ଫୁଟ ତଳକୁ ଖସିଯାଇଥିଲା। ଫଳରେ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କରଟିରେ ନିଆଁଲାଗି ବିସ୍ଫୋରଣ ହୋଇଥିଲା। ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଲୋକ ଦୌଡ଼ି ଆସିଥିଲେ। କୁସୁମୀ ବ୍ରିଜ ତଳେ ବହିଯାଉଥିବା ନଦୀରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଅଞ୍ଚଳର କିଛି ଲୋକ ଡ୍ରଇଭର ଏବଂ ହେଲପରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହୀନି ଏବଂ ପୋଲିସ୍ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶନିବାର, ଜୁନ ୧୧ ତାରିଖ ସକାଳ ପ୍ରାୟ ୬ଟାରେ ଡ୍ରାଇଭର ଓ ହେଲପର ସହ ଉଦ୍ଧାର କରିବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବ୍ରିଜଟି ଦୁର୍ବଳ ହୋଇପଡ଼ିଛି। ଏହି ବ୍ରିଜ ଉପର ଦେଇ ଲୋକଙ୍କୁ ଯାତାୟତ ପାଇଁ ବାରଣ କରାଯାଇଛି।

Tags: #Accident #FourDead #PetrolTankerBlast #SpotDeath #Nayagarh

Comment