ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ଇଡି। ଗତ ୧ ତାରିଖରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ କରାଯାଇଥିଲା। ଜୁନ ୨ ତାରିଖରେ ରାହୁଲଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ରହିଥିବାରୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରି ନଥିଲେ। ତେଣୁ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ।

ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ରାହୁଲଙ୍କୁ ଇଡି ପକ୍ଷରୁ ପଠାଯାଇଥିବା ସମନ ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇଡି କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀ ହାଜର ହେବା ପୂର୍ବରୁ ଦେଶବ୍ୟାପୀ କଂଗ୍ରେସ ନେତା ଏବଂ କର୍ମୀମାନେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଓଡ଼ିଶାରେ ମଧ୍ୟ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କଂଗ୍ରେସ ନେତା ଏବଂ କର୍ମୀମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ ବିଭିନ୍ନ ସଂସ୍ଥା ଜରିଆରେ କେନ୍ଦ୍ର ସରକାର ଅପଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣେ ଗାନ୍ଧୀ ପରିବାର ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା। କଂଗ୍ରେସର ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି।

ତଦନ୍ତକାରୀ ସଂସ୍ଥା ଉପରେ ଚାଷ ପକାଇବାକୁ ଚେଷ୍ଟା ହେଉଛି: ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ବିରୋଧରେ ପାଲଟା ଅଭିଯୋଗ ଆଣି କହିଛନ୍ତି ତଦନ୍ତକାରୀ ସଂସ୍ଥା ଉପରେ କଂଗ୍ରେସ ଚାପ ପକାଇବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, “କଂଗ୍ରେସ ଭ୍ରଷ୍ଟାଚାରର ସମର୍ଥନ କରୁଛି ଏବଂ ରାହୁଲ ଗାନ୍ଧୀ ଜାମିନରେ ବାହାରକୁ ଆସିଛନ୍ତି। କଂଗ୍ରେସ ଆଜି ଭ୍ରଷ୍ଟାଚାରକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସର ନେତା, ମନ୍ତ୍ରୀ ଏବଂ କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଛି ଦିଲ୍ଲୀ ଆସି ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାକୁ”।

ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୩୦ ମସିହାରେ ଆସୋସିଏଟେଡ ଜର୍ଣ୍ଣଲ ଲିମିଟେଡ ନାମରେ ଏକ କମ୍ପାନି ଗଠନ କରାଯାଇଥିଲା। କ୍ରମଶଃ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଋଣଗ୍ରସ୍ତ ହୋଇପଡ଼ିଥିଲା। କଂଗ୍ରେସ ଦଳ ୯୦ କୋଟିର ଋଣ ଦେବା ସତ୍ତ୍ୱେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିନଥିଲା। ଫଳରେ ଏହାକୁ ବନ୍ଦ କରିଦେବା ଲାଗି ୨୦୦୮ ମସିହାରେ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୧୦ରେ ନ୍ୟାସନାଲ ହେରାଲ୍ଡକୁ କିଣିଥିଲା ୟଙ୍ଗ ଇଣ୍ଡିଆ ନାମକ କମ୍ପାନି, ଯାହାର ବୋର୍ଡ ଅଫ୍ ଡିରେକ୍ଟର୍ସ ଥିଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ।

ଏହି କମ୍ପାନି ଏବେ ଗାନ୍ଧୀ ପରିବାର କବ୍ଜାରେ। ଏହି ଖବର କାଗଜ ପ୍ରକାଶନ ପାଇଁ କେବଳ ଗୋଟିଏ ପରିବାକୁ ସେୟାର ହୋଲଡିଂ ଦିଆଯାଇଥିଲା। ଏହି କମ୍ପାନି ରାହୁଲ ଗାନ୍ଧୀଙ୍କର ୭୫ ପ୍ରତିଶତ ଅଂଶିଦାରୀ ରହିଥିବାବେଳେ ତାଙ୍କ ମା’ଙ୍କ ପାଖରେ, ମୋତିଲାଲା ବୋରା ଏବଂ ଓସ୍କାର ଫର୍ଣ୍ଣଡିଜଙ୍କ ପାଖରେ ବଳକା ଅଂଶୀଦାରୀ ରହିଛି। ୨୦୧୦ ମସିହାରେ ୫ ଲକ୍ଷ ଟଙ୍କାରେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ ହେଲା ଏବଂ ରାହୁଲ ଗାନ୍ଧୀ ଏହାର ନିର୍ଦ୍ଦେଶକ ରହିଲେ।

ସ୍ମୃତି ଇରାନୀ ଆହୁରି କହିଛନ୍ତି ଯେ, “ଜନ କଲ୍ୟାଣ ପାଇଁ କମ୍ପାନି ଗଠନ କରାଯାଏ। କିନ୍ତୁ ଏହି କମ୍ପାନି ଗଠନ କେବଳ ଗାନ୍ଧୀ ପରିବାରର ସେବାରେ ସୀମିତ ରହିଲା। ଆଜି ଯେଉଁମାନେ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ବୋଧେ ଜାଣିନାହାନ୍ତି ଯେ, ୨୦୧୯ ମସିହାରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ ଏଜିଏଲ ଉପରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କର ମାଲିକାନା ଆଇନ ସମ୍ମତ ନୁହେଁ।

ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ଏବେ ରାଜନୈତିକ ମହଲ ସରଗରମ ହେବାରେ ଲାଗିଛି।

Tags: #Politics #IndianPolitics #SmrutiIrani #RahulGandhi #NationalHeraldCase

LEAVE A REPLY

Please enter your comment!
Please enter your name here