ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଆହୁରି ସଶକ୍ତ ହେବ ଭାରତୀୟ ସେନା। ଭାରତୀୟ ସେନାକୁ ସଶକ୍ତ କରିବେ ‘ଅଗ୍ନିବୀର’। ଯୁବ ବର୍ଗଙ୍କୁ ସେନାରେ ସାମିଲ କରିବା ନିମନ୍ତେ ଭାରତ ସରକାର ଏବେ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଥିପାଇଁ ଆଗାମୀ ୩ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ୪ ବର୍ଷ ପର୍ଯ୍ୟନ୍ତ ସେନାରେ ନିୟୋଜିତ ରହିବେ ଅଗ୍ନିବୀର।

ଅଗ୍ନିପଥ ଯୋଜନା କ’ଣ?

ଇଣ୍ଡିଆନ ଆର୍ମି, ନେଭି ଏବଂ ଏୟାରଫୋର୍ସରେ ୪ ବର୍ଷ ପାଇଁ ନିଯୁକ୍ତି କରାଯିବ। ଆର୍ମିରେ ସୈନିକ(ଯବାନ), ନେଭିରେ ସେଲର ଏବଂ ଏୟାରଫୋର୍ସରେ ଏୟାରମ୍ୟାନ ନିଯୁକ୍ତ ହେବେ। ଏହି ନିଯୁକ୍ତି ଅଗ୍ନିପଥ ଯୋଜନା ଅନ୍ତର୍ଗତ ହେବ। ଏହି ଯୋଜନାରେ ନିଯୁକ୍ତି ପାଇଥିବା ସେନାଙ୍କୁ ‘ଅଗ୍ନିବୀର’ ନାମରେ ନାମିତ କରାଯିବ। ୪ ବର୍ଷ ପରେ ୭୫ ପ୍ରତିଶତ ସୈନିକଙ୍କର ନିଯୁକ୍ତି ଅବଧି ସମାପ୍ତ କରାଯିବ ଏବଂ ବାକି ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାନୀୟ ଯବାନ ଭାବେ ନିଯୁକ୍ତି ଦିଆଯିବ। ଆବେଦନ ପରେ ଏହି ନିଷ୍ପତ୍ତି ନିଆଯିବ।

ଅଗ୍ନିପଥ ଯୋଜନାରେ କାହାକୁ ମିଳିବ ନିଯୁକ୍ତି?

ଅଗ୍ନିପଥ ଯୋଜନା କେବେଳ ଯବାନମାନଙ୍କ ପାଇଁ ରହିବ। ଏହି ଯୋଜନା ଅଫିସର ରାଙ୍କ ପାଇଁ ଲାଗୁ ହେବ ନାହିଁ। ସେବା ଅଧିକାରୀ ରାଙ୍କରୁ ତଳେ ରହିଥିବା କର୍ମଚାରୀ ଏହି ଯୋଜନାର ଲାଭ ଉଠାଇପାରିବେ। ବର୍ତ୍ତମାନ ରହିଥିବା ଚୟନ ପ୍ରକ୍ରିୟାରେ ହିଁ ନିଯୁକ୍ତି କରାଯିବ।

ନିଯୁକ୍ତି ପାଇଁ ଯୋଗ୍ୟତା

ଏହି ସେନାରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କ ଶିକ୍ଷାଗତ ଯୋଗ୍ୟତା ପୂର୍ବପରି ରହିବ। ଅର୍ଥାତ ଦଶମ-ଦ୍ଵାଦଶ ପାସ କରିଥିବା ଆଶାୟୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଅଗ୍ନିବୀର ହେବା ପାଇଁ ଆଶାୟୀଙ୍କ ବୟସ ସାଢେ ୧୭ ବର୍ଷ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ। ଆର୍ମି, ନେଭି ଏବଂ ଏୟାରଫୋର୍ସରେ ସୈନିକ ସ୍ତରରେ ନିଯୁକ୍ତି ନିୟମ ପୂର୍ବ ଭଳି ରହିବ।

ଏହି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ୪୫ ହଜାର ଯୁବପିଢ଼ିଙ୍କୁ ସେନାରେ ସାମିଲ କରାଯିବ। ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର। ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହା ପରେ ମାସିକ ୩୦ରୁ ୪୦ ହଜାର ବେତନରେ ନିଯୁକ୍ତି ପାଇବେ ଅଗ୍ନିବୀର। ଚାକିରୀ ସମୟରେ ସ୍ଥାୟୀ ସୈନିକଙ୍କ ଭଳି ଆୱାର୍ଡ, ମେଡାଲ ଓ ଇନସ୍ୟୁରାନ୍ସର ଅର୍ଥରାଶି ପାଇବେ ଅଗ୍ନିବୀର। ଏମାନଙ୍କୁ ୪୮ ଲକ୍ଷ ଟଙ୍କାର ବୀମା ରାଶି ମିଳିବ।

ସେବା ସମୟରେ ଅଗ୍ନିବୀର ସହିଦ କିମ୍ବା ଦିବ୍ୟାଙ୍ଗ ହେଲେ ମିଳିବ କ୍ଷତିପୂରଣ

ନିଯୁକ୍ତ ହୋଇଥିବା ଅଗ୍ନିବୀର ଯଦି ସେବା ସମୟରେ ସହିଦ ହେଲେ କିମ୍ବା ଦିବ୍ୟାଙ୍ଗ ହେଲେ ୪୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଦିବ୍ୟାଙ୍ଗ ଯବାନଙ୍କୁ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ୧୨ ଲକ୍ଷ ଟଙ୍କା ମିଳିବ। ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

୪ ବର୍ଷର ନିଯୁକ୍ତି ପରେ ବି ମିଳିବ ସୁଯୋଗ

ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ ପରେ ଅଗ୍ନିବୀରଙ୍କୁ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ଭର୍ତ୍ତି ହେବା ପାଇଁ ପ୍ରାଥମିକତା ଦିଆଯିବ। ସେବାର ୪ ବର୍ଷ ପୂରଣ ପରେ ଉତ୍ତର ପ୍ରଦେଶ ସରକାର ଅଗ୍ନିବୀରଙ୍କୁ ପୋଲିସ ଓ ଅନ୍ୟ ସମ୍ବନ୍ଧିତ ସେବାରେ ପ୍ରାଥମିକତା ଦେବେ। ସେହିପରି ଅଗ୍ନିପଥ ଯୋଜନାରେ ଭର୍ତ୍ତି ଯବାନଙ୍କୁ ରାଜ୍ୟ ପୋଲିସ ବିଭାଗରେ ପ୍ରାଥମିକତା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ଆସାମ ଆରୋଗ୍ୟ ନିଧିରେ ଅଗ୍ନିବୀରଙ୍କୁ ସୁଯୋଗ ଦେବେ ରାଜ୍ୟ ସରକାର। ଭାରତୀୟ ସେନାରେ ପାଖାପାଖି ଏକ ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। କୋଭିଡ ମହାମାରୀ କାରଣରୁ ଗତ ୨ ବର୍ଷ ସେନାରେ ନିଯୁକ୍ତି ହୋଇନାହିଁ। କିନ୍ତୁ ଏହି ସମୟରେ ନୌସେନାରେ ୮,୩୧୯ ଓ ବାୟୁସେନାରେ ୧୩,୦୩୨ ନିଯୁକ୍ତି ହୋଇଛି।

ମହିଳାଙ୍କ ପାଇଁ ସୁଯୋଗ

ଇଣ୍ଡିଆନ ଆର୍ମିରେ ବର୍ତ୍ତମାନ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ବାୟୁସେନା ଏବଂ ନୌସେନା ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହି ଯୋଜନା ଅନ୍ତର୍ଗତ ଯୁବତୀମାନଙ୍କୁ ଅଗ୍ରାଧିକାର ମିଳିବ। ଅଗ୍ନିବୀର ଭାବେ ନିଯୁକ୍ତି ପାଇପାରିବେ ଯୁବତୀ।

Tags: #Career #Employment #Agniveer #AgniPathScheme #GovtOfIndia

Comment