ଓଡ଼ିଶାଲାଇଭ୍ ବ୍ୟୁରୋ

ମାନସିକ ରୋଗକୁ କେମିତି ଚିହ୍ନିବା ଏବଂ କିପରି ଏଥିରୁ ମୁକୁଳି ପାରିବା ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରସେଲ ରାଭଣା ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ବ୍ରେନର ସମ୍ବେଦନଶୀଳ ସ୍ଥାନ ‘ଲିମ୍ବିକ ସିଷ୍ଟମ ଏବଂ ପ୍ରିଫଣ୍ଟାଲ ଲୋବ’ରେ ନ୍ୟୁରୋ ହାରମୋନ ବା ସ୍ନାୟୁଗତ ରସ ଠିକ୍ ଭାବେ କ୍ଷରଣ ନହେଲେ ବିଭିନ୍ନ ପ୍ରକାର ମାନସିକ ରୋଗ ଦେଖାଦେଇଥାଏ ବୋଲି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରସେଲ ରାଭଣା କହିଛନ୍ତି।

ମାନସିକ ରୋଗ କେତେ ପ୍ରକାର?

ମାନସିକ ରୋଗ ବିଭିନ୍ନ ପ୍ରକାରର ହୋଇଥାଏ। ସେଥିମଧ୍ୟରେ ରହିଛି ସିଜୋଫ୍ରେନିଆ, ଡିପ୍ରେସନ, ବାଇପୋଲାର ଡିଜଅର୍ଡର, ଅପସେସିଭ କମ୍ପଲସିଭ ଡିଜଅର୍ଡର, ଆଙ୍ଗଜାଇଟି ଡିଜଅର୍ଡର ଏବଂ ସୋମାଟୋଫର୍ମ ଡିଜଅର୍ଡର ଆଦି।

କୌଣସି ମଣିଷ ଏହି ସବୁ ରୋଗରେ ଆକ୍ରାନ୍ତ ହେଲେ ତା’ଠାରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥାଏ। ଏହି ଲକ୍ଷଣଗୁଡ଼ିକୁ ଦେଖିବା ପରେ ଡାକ୍ତର ରୋଗର ନିରୂପଣ କରିଥାନ୍ତି। ରୋଗ ନିରୂପଣ ପରେ ଚିକିତ୍ସା କରାଯାଇଥାଏ ବୋଲି ଡାକ୍ତର କୁହନ୍ତି।

ମାନସିକ ରୋଗର କାରଣ

ଡାକ୍ତର ଜୟପ୍ରକାଶ ରସେଲ ରାଭଣାଙ୍କ କହିବା ଅନୁସାରେ ମାନସିକ ରୋଗ ବିଭିନ୍ନ କାରଣରୁ ହୋଇଥାଏ। ଏହା ପଛରେ ଗୋଟିଏ ନୁହେଁ ଅନେକ କାରଣ ମଧ୍ୟ ରହିଥାଏ। ବିଶେଷ କରି ଚାପ ଏବଂ ଅବସାଦ ଏହାର ମୁଖ୍ୟ କାରଣ ହୋଇଥାଏ। ଜଣେ ଚାପଗ୍ରସ୍ତ ମଣିଷର ବ୍ରେନର ନ୍ୟୁରୋ ହର୍ମୋନାଲ କ୍ଷରଣରେ ପରିବର୍ତ୍ତନ ଘଟି ମାନସିକ ରୋଗର କବଳକୁ ନେଇଥାଏ। ଏହା ବଂଶାନୁକ୍ରମିକ ରୋଗ ବୋଲି ମଧ୍ୟ ଡାକ୍ତର କୁହନ୍ତି।

ଆଉ କିଛି କ୍ଷେତ୍ରରେ ମାଦକ ଦ୍ରବ୍ୟ ମାନସିକ ରୋଗର କାରଣ ହୋଇଥାଏ ବୋଲି ମଧ୍ୟ ଡାକ୍ତର କହିଛନ୍ତି। କାରଣ ଆଲକହଲ, କାନାବିସ, ହେରୋଇନ, ଓପେୟଡ ଏବଂ ଚରସ ଆଦି ସେବନ ଦ୍ଵାରା ବ୍ରେନର ନ୍ୟୁରୋ କେମିକାଲ ପରିବର୍ତ୍ତିତ ହୋଇଥାଏ। ଏହି ପରିବର୍ତ୍ତନ ଅଧିକ ହେବା ଯୋଗୁଁ ମାନସିକ ରୋଗ ହେବାର ସମ୍ଭାବନା ରହିଛି ବୋଲି ଡାକ୍ତର କୁହନ୍ତି।

ମାନସିକ ରୋଗକୁ କେମିତି ଚିହ୍ନିବା?

ଅନେକ କ୍ଷେତ୍ରରେ ଦେଖାଯାଏ ମାନସିକ ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତିଙ୍କର ଜୀବନଚର୍ଯ୍ୟାରେ ଧୀରେ ଧୀରେ ପରିବର୍ତ୍ତନ ଆସିଥାଏ। ନିଦ ହୁଏ ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ଶୋଇପାରନ୍ତି ନାହିଁ। ଅନେକ ଦୁଶ୍ଚିନ୍ତା ମନକୁ ଆସିଥାଏ। ସକାଳୁ ଉଠିବାକୁ କଷ୍ଟ ହୁଏ ଏବଂ କାମ କରିବାକୁ ଇଚ୍ଛା ହୁଏ ନାହିଁ। ବୌଦ୍ଧିକ ଶକ୍ତି ମଧ୍ୟ କାମରେ ଲାଗେ ନାହିଁ। ଏହି ସମସ୍ୟା ଦେଖା ଦେବା ସହ ମାନସିକ ରୋଗ କବଳକୁ ଯାଉଥିବା ବ୍ୟକ୍ତି ଖାଇବା ପିଇବା ମଧ୍ୟ ଛାଡ଼ିଦେଇଥାଏ।

ଧୀରେ ଧୀରେ ମଣିଷ ନିଜର ଯତ୍ନ ନେଇପାରେ ନାହିଁ। ନିଜ ପ୍ରିୟଜନଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ। କଥାବର୍ତ୍ତା ହେବା ବନ୍ଦ କରିଦିଏ। କାହାର ସହ କଥା ହେବାକୁ ଭଲ ଲାଗେ ନାହିଁ। ବିନା କାରଣରେ କାନ୍ଦ ଲାଗେ। ଗୁମସୁମ ହୋଇ ବସିବାକୁ ଇଚ୍ଛା ହୁଏ ଏବଂ କୌଣସି ଜିନିଷ ପ୍ରତି ଆଗ୍ରହ ଆସେ ନାହିଁ। ଭିତରେ ଭିତରେ ମାନସିକ ରୋଗ ବଢ଼ିବାର ଏହି ସବୁ ଲକ୍ଷଣ ହୋଇଥାଏ ବୋଲି ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି।

“ଯଦି ଠିକ୍ ସମୟରେ ଏହି ରୋଗକୁ ଚିହ୍ନଟ କରି ଚିକିତ୍ସା କରାନଯାଏ, ତେବେ ମାନସିକ ରୋଗରୁ ଉପସମ ମିଳିବା କାଠିକର ପାଠ ହୋଇଯାଏ। ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିଜର ନିୟନ୍ତ୍ରଣ ହରାଇବା ସହ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥାନ୍ତି”, କୁହନ୍ତି ଡାକ୍ତର ଜୟପ୍ରକାଶ ରସେଲ ରାଭଣା।

ସିଜୋଫ୍ରେନିଆ ରୋଗ କ’ଣ?

ବିଭିନ୍ନ ସମୟରେ ଦେଖିବାକୁ ମିଳେ ଯେ, ୨୦ରୁ ୨୫ ବର୍ଷ ବୟସରେ ଅଧିକାଂଶ ଯୁବକ ଯୁବତୀ ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ପାଠପଢ଼ାରେ ମନଲାଗେ ନାହିଁ। ସେମାନେ ଏକା ଏକା ସମୟ କାଟିବାକୁ ପସନ୍ଦ କରନ୍ତି। ଏହାକୁ ଦେଇ ପରିବାର ଲୋକଙ୍କ ମନରେ ଧାରଣା ଆସେ ପାଠପଢ଼ା ଛାଡ଼ି ଆମ ଛୁଆ ଅନ୍ୟ କେଉଁ କଥା ଚିନ୍ତା କରୁଛି।

ଏହି ସମୟରେ ସେମାନଙ୍କ ବ୍ରେନରେ ନ୍ୟୁରୋ ହରମୋନ ଡୋପାମିନ ଏବଂ ଅନ୍ୟାନ ହରମୋନର ସନ୍ତୁଳନ ବିଗିଡ଼ି ଯାଇଥାଏ। ଫଳରେ ଗୋଟିଏ କାଳ୍ପନିକ ପରିବେଶ ସେମାନଙ୍କୁ କବଳିତ କରିଥାଏ। କେତେବେଳେ କିଏ ଶୂନ୍ୟବାଣୀ କଲା ଭଳି ଶୁଭେ ତ ଆଉ କାହା କାହା ମନରେ ସନ୍ଦେହ ଘର କରିଯାଏ।

ସିଜୋଫ୍ରେନିଆରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଡରି ଡରି ରହିଥାନ୍ତି। କାରଣ ତାଙ୍କୁ ଲାଗେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ କେହି ମାରିବାକୁ ଚେଷ୍ଟା କରୁଛି। ଏମାନେ ଧୀରେ ଧୀରେ ନିଜର ଯତ୍ନ ନେବା ଛାଡ଼ିଦିଅନ୍ତି। ଖାଇବା, ଶୋଇବାରେ ମଧ୍ୟ ଅନିୟମିତତା ଦେଖାଦିଏ। ଧୀରେ ଧୀରେ କଥା କହିବା ସମୟରେ ଏମାନେ ଭାରସାମ୍ୟ ହରାଇବାକୁ ଲାଗନ୍ତି। କୌଣସି କାମ କରିପାରନ୍ତି ନାହିଁ। ସିଜୋଫ୍ରେନିଆ ରୋଗୀଠାରେ ଏହି ସବୁ ଲକ୍ଷଣ ଦେଖାଦିଏ ବୋଲି ଡାକ୍ତର କୁହନ୍ତି।

ସୁଚୀବାଇ ରୋଗ(ଓସିଡି) ଓ ଡିମେନସିଆ କ’ଣ?

ମାନସକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରୁସେଲ ରାଭନ କୁହନ୍ତି, ଓସିଡି ହେଉଛି ଅପସେସିଭ କମ୍ପଲସିଭ ଡିଜଅର୍ଡର। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ସଫାସୁତର ଉପରେ ବେଶି ଗୁରୁତ୍ଵ ଦେଇଥାନ୍ତି। ସେମାନଙ୍କୁ ଲାଗେ ହାତ ସଫା ହୋଇନାହିଁ, ଘର ଅସଜଡ଼ା ହୋଇରହିଛି। ବାରମ୍ବାର ହାତ ସଫା କରିବା ଏବଂ ଘରକୁ ବାରମ୍ବାର ସଫା କରିବା ଏହି ରୋଗର ଲକ୍ଷଣ ହୋଇଥାଏ। ମନ ଭିତରେ ବାରମ୍ବାର ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ସନ୍ଦେହ ଜାତ ହୋଇଥାଏ।

ଗୋଟିଏ ଜିନିଷକୁ ବାରମ୍ବାର ପରଖିବା ଏମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ଧୀରେ ଧୀରେ ସେମାନଙ୍କର ଦିନଚର୍ଯ୍ୟା ସମ୍ପୂର୍ଣ୍ଣ ଭାବେ ବିଗିଡ଼ିବାକୁ ଲାଗେ। ସାଧାରଣ ମଣିଷ ଯେଉଁ କାମକୁ ଥରେ ଦୁଇ ଥର କରିବା ସନ୍ତୁଷ୍ଟ ହୋଇଥାନ୍ତି, ସେହି କାମକୁ ହଜାର ଥର ଓସିଡି ରୋଗୀ କରିଲେ ମଧ୍ୟ ସନ୍ତୁଷ୍ଟ ହୋଇନଥାଏ। ବାରମ୍ବାର ସେହି କାମ କରିବାକୁ ଲାଗି ପଡ଼ନ୍ତି।

ବାରମ୍ବାର ହାତ ଧୋଇବା, ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇବା। ଗାଧେଇ ଗାଧେଇ ହାତ ଗୋଡ଼ ପାଣି ଖାଇବା ସହ ଫଙ୍ଗଲ ଇନଫେକ୍ସନ ମଧ୍ୟ ହୋଇଯାଏ। ଏମାନେ ସଫାସୁରରେ ଏତେ ଲାଗି ପଡ଼ନ୍ତି ଯେ, ଅନ୍ୟ କୌଣସି କାମ କରିବାକୁ ଏମାନଙ୍କ  ପାଖରେ ସମୟ ନଥାଏ। ଓଡ଼ିଆରେ ଏହି ରୋଗକୁ ସୂଚିବାଇ ରୋଗ କୁହାଯାଏ ବୋଲି ଡାକ୍ତର କହିଛନ୍ତି।

ଡିମେନସିଆ ରୋଗ

ବୟସ ବଢ଼ିଗଲେ ଡିମେନସିଆ ରୋଗ ଦେଖାଦିଏ। ଏହା ଫଳରେ ବ୍ରେନର ସମ୍ବେଦନଶୀଳ ସ୍ଥାନରୁ ରସ କ୍ଷରଣ କମିଯାଏ। ଡିମେନସିଆ ରୋଗରେ ପୀଡ଼ିତ ମଣିଷର ରିସେଣ୍ଟ ମେମୋରୀ ଲସ୍ ହୋଇଯାଏ। କୌଣସି ଜାରୁରୀ କାମ କରିବାକୁ ଥିଲେ ମଧ୍ୟ ମାନେପଡ଼େ ନାହିଁ। ଯାହାର ଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ କାମ ବାଧାପ୍ରାପ୍ତ ହୋଇଥାଏ। ଏହି ରୋଗ ପ୍ରାୟ ୬୦ରୁ ୮୦ ବର୍ଷ ବୟସରେ ଦେଖାଯାଏ ବୋଲି କୁହନ୍ତି ଡାକ୍ତର ଜୟପ୍ରକାଶ ରସେଲ ରାଭଣା।

ମାନସିକ ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିର ବ୍ରେନର କିଛି ଅଂଶ ସଙ୍କୁଚିତ ହୋଇଯାଏ। ବ୍ରେନର ବିଭିନ୍ନ ଅଂଶରେ ଗୁରୁତ୍ଵପୂର୍ଣ୍ଣ ନ୍ୟୁରୋ ହରର୍ମୋନ ବା ନ୍ୟୁରୋ ଟ୍ରାନ୍ସମିଟର ସନ୍ତୁଳନ ବିଗିଡ଼ିବା ଫଳରେ ଡିମେନସିଆ ରୋଗରେ ଜଣେ ଆକ୍ରାନ୍ତ  ହୋଇଥାଏ। 

ଅତ୍ୟଧିକ ଦୁଃଖ ଓ ଚିନ୍ତା ହୋଇପାରେ ମାନସିକ ରୋଗର କାରଣ

ବର୍ତ୍ତମାନ ସାମାଜିକ ଚଳନି ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଆସିଛି। ଅନେକ ସୁଖ ଦୁଃଖ ଦେଇ ମଣିଷକୁ ଗତି କରିବାକୁ ପଡ଼ୁଛି। ବେଳେ ବେଳେ ପରିସ୍ଥିତି ଏମିତି ଆସେ ଦୁଃଖ ଏବଂ ଅବସାଦ ଦେଖିବାକୁ ପଡ଼େ ମଣିଷକୁ। କେହି କେହି ଦୁଃଖକୁ ସହଜରେ ଅତିକ୍ରମ କରିଦିଆନ୍ତି ତ, ଆଉ କିଏ ଏହି ଦୁଃଖର ଜାଲରୁ ମୁକୁଳି ପାରନ୍ତି ନାହିଁ। ଯାହା ପରବର୍ତ୍ତି ସମୟରେ ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ।

“ଖାସ କରି ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି। ଅଧିକ ଦୁଃଖରେ ରହିବା ଫଳରେ ସେମାନଙ୍କର ଧୀରେ ଧୀରେ ନିଦ କମିଯାଏ। ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଶୋଇପାରନ୍ତି ନାହିଁ। ଅତ୍ୟଧିକ ଦୁଃଖ ଅବସାଦ ଆଣିଦିଏ। ଏହା ଦ୍ଵାରା ଧୀରେ ଧୀରେ ମାନସିକ ରୋଗ ଆଡ଼କୁ ଗତି କରେ ଅବସାଦଗ୍ରସ୍ତ ମଣିଷ। ଏହା ଯୋଗୁଁ ନକରାତ୍ମକ ବିଚାର ଆସେ, ହାରିଯିବା ଭଳି ମନେ ହୁଏ, ନିଜକୁ ଅସହାୟ ମନେ କରନ୍ତି। ବେଳେବେଳେ ଚିଡ଼ଚିଡ଼ା ହୋଇପଡ଼ନ୍ତି। ଅନେକ ସମୟରେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଏବଂ ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ କାରଣରୁ ଅବସାଦ ଗ୍ରସ୍ତ ମଣିଷ ବାହାରକୁ ଆସିବାକୁ ଚେଷ୍ଟା କରେ। କିନ୍ତୁ ଯେଉଁମାନେ ପୁରା ଏକା ଥାନ୍ତି, ପରିବାର ଏବଂ ସାଙ୍ଗସାଥୀଙ୍କଠାରୁ ଦୂରେଇ ରହିଥାନ୍ତି, ସେମାନେ ସହଜରେ ମାନସିକ ଅବସାଦରୁ ମୁକୁଳିପାରନ୍ତି ନାହିଁ। ଏହା ସେମାନଙ୍କର ମାନସିକ ରୋଗର କାରଣ ହୋଇପାରେ”, କୁହନ୍ତି ଡାକ୍ତର ଜୟପ୍ରକାଶ ରସେଲ ରାଭଣା।

କୌଣସି ପରିବାର ସଦସ୍ୟା କିମ୍ବା ସାଙ୍ଗସାଥୀଙ୍କ ଠାରେ ଏହିଭଳି ପରିବର୍ତ୍ତନ ଦେଖାଦେଲେ ତୁରନ୍ତ ସେମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇଯିବା ଦରକାର। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଚିକିତ୍ସା କରାଇବା, ଯତ୍ନନେବା, ଠିକ୍ ସମୟରେ ମେଡିସିନ ଦେବା ଏବଂ ଏହି ଅବସାଦରୁ ମୁକୁଳାଇବା ପାଇଁ ସେମାନଙ୍କୁ ସାହସ ଦେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର।

ଠିକ୍ ସମୟରେ ମାନସିକ ରୋଗକୁ ଚିହ୍ନଟ କରି ଚିକିତ୍ସା କରାନଗଲେ ଏହା ଧୀରେ ଧୀରେ ବଢ଼ି ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏମିତିକି ସମ୍ପୂର୍ଣ୍ଣ ନିଦ୍ରା ହିନତା, ମାଦକ ଦ୍ରବ୍ୟ ସେବନ ପ୍ରତି ଆଶକ୍ତି, ଆତ୍ମହତ୍ୟା ପ୍ରବଣତା ଏବଂ ବାଚାଳାମି ସମସ୍ୟା ଦେଖିବାକୁ ମିଳେ। ଏହି ପରିସ୍ଥିତରେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼େ, ବାନ୍ଧିକି ରଖିବାକୁ ପଡ଼େ, ଇଞ୍ଜେକ୍ସନ ଦେବାକୁ ପଡ଼େ ଏବଂ ଇଲେକ୍ଟ୍ରିକ ସକ୍ ମଧ୍ୟ ଦେବାକୁ ପଡ଼ିଥାଏ। ଏହାକୁ ଠିକ୍ କରିବା କାଠିକର ପାଠ ହୋଇଯାଇଥାଏ। ଯଦି ପ୍ରାରମ୍ଭିକ ଅବସ୍ଥାରୁ ଆମେ ରୋଗକୁ ଚିହ୍ନି ତା’ର ଚିକିତ୍ସା କରାଇବା ତେବେ ଶୀଘ୍ର ଉପସମ ମିଳିପାରିବ।

ମାନସିକ ସ୍ଵାସ୍ଥ୍ୟର ଯତ୍ନ

ବର୍ତ୍ତମାନର ଜୀବନଶୈଳିରେ ଅନେକ ପରିବର୍ତ୍ତନ ଆସିଛି। ଚାପ ଏବଂ ଅବସାଦ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। କିନ୍ତୁ ନିଜକୁ ସବୁବେଳେ ସବୁ ପରିସ୍ଥିତିରୁ ମୁକୁଳାଇବା ପାଇଁ ପ୍ରସ୍ତୁତ ରଖିବା ଆବଶ୍ୟକ। ବ୍ୟସ୍ତ ବହୁଳ ଜୀବନ ଭିତରୁ ନିଜ ପାଇଁ କିଛି ସମୟ କାଢ଼ିବା, ଦୈନିକ ବ୍ୟାୟାମ କରିବା, ନିଜକୁ ଶାନ୍ତ ରଖିବା, ନିଜର ଆବଶ୍ୟକତାକୁ ସୀମିତ କରି ରଖିବା, ଅନ୍ୟ ସହ ତୁଳନୀୟ ହେବାକୁ ଅପଚେଷ୍ଟା ନକରିବା ଆଦି ଦ୍ଵାରା ସୁସ୍ଥ ଏବଂ ସୁନ୍ଦର ଜୀବନ ଗଠନ ହୋଇପାରିବ ବୋଲି ଡାକ୍ତର କୁହନ୍ତି।

ଠିକ ସମୟରେ ଖାଦ୍ୟ ପେୟ, ଖୁସିରେ ରହିବା ଏବଂ ନିଜ ପ୍ରିୟଜନମାନଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବା ଦ୍ଵାରା ମାନସିକ ରୋଗରୁ ଉପଶମ ମିଳିପାରିବ। ମାନସିକ ରୋଗର ଲକ୍ଷଣ ଦେଖାଦେଲେ ପରିବାର ସଦସ୍ୟ ପ୍ରଥମେ ଯତ୍ନବାନ ହେବା ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇପାରିବା ଆବଶ୍ୟକ ବୋଲି କୁହନ୍ତି ଡାକ୍ତର ଜୟପ୍ରକାଶ ରସେଲ ରାଭଣା।

Tags: #Health #MentalHealth #MentalIllness #Doctor #Medical #Care #Treatment

Comment