ଓଡ଼ିଶାଲାଇଭ୍ ବ୍ୟୁରୋ

ଗରିବ ଗୁରୁବା ଏବଂ ଅସହାୟଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳଠାରୁ ଆରମ୍ଭ କରି ରହିବା ପାଇଁ ଘର ଏବଂ ବିଭିନ୍ନ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା ମାନ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ନାରୀଗାଁ ପଞ୍ଚାୟତ ଅନ୍ତର୍ଗତ ରାମପାତ୍ରପୁର ଗ୍ରାମରେ।

ଗ୍ରାମର ବୃଦ୍ଧ ଦମ୍ପତି ପଦୁ ଗୌଡ଼ ଏବଂ ମଙ୍ଗୁଳି ଗୌଡ଼ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି। ମୁଣ୍ଡଗୁଞ୍ଜିବାକୁ ଏମାନଙ୍କ ପାଖରେ ଘର ଖଣ୍ଡେ ନାହିଁ। ଏହି ବୃଦ୍ଧ ଦମ୍ପତିଙ୍କ ବୟସ ୭୦ ଟପିଛି। କିନ୍ତୁ ସରକାରୀ ଯୋଜନା କ’ଣ ଜାଣିପାରିଲେନି ଏମାନେ। ଗରିବଙ୍କ ପାଇଁ ଖାଦ୍ୟ ଯୋଗାଣ ଯୋଜନା ହୋଇଥିଲେ ମଧ୍ୟ ଏଥିରୁ ବଞ୍ଚିତ ରହିଛନ୍ତି ପଦୁ ଏବଂ ମଙ୍ଗୁଳି। ଦିନକୁ ଦି’ ଓଳି ଖାଇବା ଯୋଗାଡ଼ କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି ଏହି ଦମ୍ପତିଙ୍କୁ।   

ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରିଥିଲେ ମଧ୍ୟ ତାଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ କେହି ଶୁଣିଲେ ନାହିଁ ବୋଲି କହିଛନ୍ତି ପଦୁ ଏବଂ ମଙ୍ଗଳି ଗୌଡ଼। ବର୍ତ୍ତମାନ ବୟସାଧିକ ଯୋଗୁଁ ଦୁହେଁ ଅଧିକାଂଶ ସମୟରେ ଅସୁସ୍ଥ ରହୁଛନ୍ତି। ଏପରିକି ଏବେ ଚାଲିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ତଥାପି ପେଟର ଭୋକ ମେଣ୍ଟାଇବା ପାଇଁ ଗାଁକୁ ଗାଁ ବୁଲି ଖାଦ୍ୟ ଯୋଗାଡ଼ କରିବାକୁ ବାଧ୍ୟ ହେଉଛନ୍ତି ଦୁହେଁ। ଅନ୍ୟ ପକ୍ଷେରେ ଏମାନଙ୍କର କୌଣସି ସନ୍ତାନସନ୍ତତି ନଥିବାରୁ ସମ୍ପୂର୍ଣ୍ଣ ଏକା ହୋଇପଡ଼ିଛନ୍ତି ଏମାନେ।

ପ୍ରଶାସନ ବୃଦ୍ଧ ଦମ୍ପତି ପଦୁ ଏବଂ ମଙ୍ଗଳି ଗୌଡ଼ଙ୍କୁ ସରକାରୀ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ, ଖାଦ୍ୟ ବ୍ୟବସ୍ଥା ଏବଂ ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଏବଂ ପୂର୍ବତନ ସରପଞ୍ଚ ଦାବି କରିଛନ୍ତି।

Tags: #Koraput #Rampatrapur #GovtScheme

Comment