ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଖାଲରେ ଜମା ହୋଇଥିବା ବର୍ଷା ପାଣିରେ ପଡ଼ି ପ୍ରାଣ ହରାଇଛନ୍ତି ୪ ଜଣ ଶିଶୁ। ମୃତ ଶିଶୁମାନେ ହେଲେ ଦଶମନ୍ତପୁର ବ୍ଲକ ମାଝିଗୁଡ଼ା ଗାଁର। ମୃତକଙ୍କ ମଧ୍ୟରେ ତିନିଜଣ ଝିଅ ଓ ଜଣେ ପୁଅ ରହିଛନ୍ତି।

ମାଝିଗୁଡ଼ା ଗାଁ ନିକଟରେ ରାସ୍ତା କାମ ପାଇଁ ଖୋଳାଯାଇ ଖାଲ କରାଯାଇଥିଲା। ଗତ ଦୁଇଦିନ ଧରି ହେଉଥିବା ବର୍ଷା ପାଣି ଏହି ଖାଲରେ ଜମି ରହିଥିଲା। ମାଝିଗୁଡ଼ା ଗାଁର ପ୍ରାୟ ୪ ଜଣ ଶିଶୁ ଆଜି ଅପରାହ୍ଣରେ ଖେଳିବାକୁ ଯିବା ସମୟରେ ଅସାବଧାନତା ବଶତଃ ପାଣି ଖାଲରେ ପଡ଼ିଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକ ପିଲାମାନେ ପାଣିରେ ବୁଡ଼ିଯାଉଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଘଟଣାସ୍ଥଳରେ ସଦରଥାନା ପୋଲିସ୍, ଏସଡିପିଓ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁଇ ଜଣ ଶିଶୁଙ୍କୁ ମୃତ ଅବସ୍ଥାରେ ଏବଂ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଦୁଇ ଶିଶୁଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହି ଅଘଟଣ ଖବର ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

Tags: #Accident #FourChildDead #Rainwater #Koraput

Comment