ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ରାଈମୋହନ ପରିଡ଼ାଙ୍କ ପୋର୍ଷ୍ଟମର୍ଟମ ରିପୋର୍ଟ ଆସିଛି। ମଙ୍ଗଳବାର ଦିନ ଆସିଥିବା ରିପୋର୍ଟରେ ଶ୍ଵାସରୁଦ୍ଧ କାରଣରୁ ରାଈମୋହନଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କମିଶନରେଟ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରାଯାଇଛି।

ବେକରେ ରଶି ଲଗାଇବାରୁ ଶ୍ଵାସରୁଦ୍ଧ ହୋଇ ରାଈମୋହନ ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ମୃତଦେହ ଜବତ ସମୟରେ ତାଙ୍କ ଶରୀରରେ କୌଣସି ବାହ୍ୟ କ୍ଷତଚିହ୍ନ ରହିନଥିବାବେଳେ ବେକ ନିକଟରେ ସାମାନ୍ୟ କ୍ଷତ ଥିବା ଦେଖିବାକୁ ମିଳିଥିଲା। ବେକରେ ରଶି ଲାଗି ଏହି କ୍ଷତ ସୃଷ୍ଟି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭିସେରା ରିପୋର୍ଟ ଆସବା ପରେ ମୃତ୍ୟୁ ସମୟରେ କୌଣସି ନିଶା କିମ୍ବା ବିଷ କ୍ରିୟା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ଗତ ଜୁନ ୨୪ ତାରିଖ ଦିନ ଓଡ଼ିଶାର ଜଣାଶୁଣା ଅଭିନେତା ରାଈମୋହନ ପରିଡ଼ାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ଭୁବନେଶ୍ଵର ପ୍ରାଚୀ ବିହାର ସ୍ଥିତ ବାସଭବନରୁ ତାଙ୍କ ଶବ ଉଦ୍ଧାର କରି ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଆଜି ରିପୋର୍ଟ ଆସିବା ପରେ ରାଈମୋହନଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ କିଛି ପରିମାଣରେ ପରଦା ହଟିଥିବା କୁହାଯାଉଛି।

ଇତି ମଧ୍ୟରେ ରାଈମୋହନ ପରିଡ଼ାଙ୍କ ମୃତ୍ୟୁର ରହସ୍ୟ ଖୋଜିବାକୁ ପୋଲିସ୍ ତାଙ୍କ ମୋବାଇଲ ଜବତ କରି କଲ୍ ଡିଟେଲ୍ସ ଯାଞ୍ଚ କରୁଛି। ପରିବାର, ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କୁ ତଦନ୍ତକାରୀ ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି। ସୋମବାର ଦିନ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ ଯେ, ରାଈମୋହନ ପରିଡ଼ା ମୃତ୍ୟୁ ପୂର୍ବରୁ ବ୍ୟକ୍ତିଗତ କାରଣକୁ ନେଇ ମଞ୍ଚେଶ୍ଵର ଥାନାକୁ ଆସିଥିଲେ।

Tags: #ActorRaimohanParida #Death #Suicide #PostmortemReport #Bhubaneswar

Comment