ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ଏପରି ବୟାନ ପାଇଁ କୋର୍ଟ ନୂପୁରଙ୍କୁ କଡ଼ା ଭାଷାରେ ଟିପ୍ପଣୀ କରିବା ସହ ସେ ଟେଲିଭିଜନ ଜରିଆରେ ସାରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିୱାଲାଙ୍କ ମିଳିତ ଖଣ୍ଡପୀଠ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଦେଶରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ନୂପୁର ଶର୍ମା ଦାୟୀ। ଜାତୀୟ ନିରାପତ୍ତା ପାଇଁ ନୂପୁର ଶର୍ମା ବିପଦ। ଏପରିକି ଉଦୟପୁରର କହ୍ନେୟା ଲାଲଙ୍କ ବିଭତ୍ସ ହତ୍ୟାକାଣ୍ଡ ପାଇଁ ମଧ୍ୟ ସେ ଦାୟୀ ବୋଲି କୋର୍ଟ କହିଛନ୍ତି। ତେଣୁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

ଏଥିସହ ଦିଲ୍ଲୀ ପୋଲିସ ଉପରେ ମଧ୍ୟ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ସାଧାରଣ ଲୋକଙ୍କ ନାମରେ ଏତାଲ ହେବା ମାତ୍ରେ ତାଙ୍କୁ ପୋଲିସ ଗିରଫ କରୁଛି। କିନ୍ତୁ ନୂପୁର ଶର୍ମା ମାମଲାରେ ପୋଲିସର କାର୍ଯାନୁଷ୍ଠାନ କ’ଣ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ବିଜେପିର ମୁଖପାତ୍ର ନୂପୁର ଶର୍ମା ନିକଟରେ ଏକ ଟିଭି ଡିବେଟରେ ଇସଲାମୀୟ ଧର୍ମଗୁରୁ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ନୁପୂରଙ୍କ ଏହି ବୟାନକୁ ସଂଖ୍ୟାଲଘୁ ଗୋଷ୍ଠୀର ଲୋକମାନେ ନିନ୍ଦା କରିବା ସହ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି କିଛି ସ୍ଥାନରେ ଏହା ରକ୍ତପାତର ରୂପ ନେଇଥିଲା, ଯେଉଁଥିରେ ଏକାଧିକ ଆହତ ମଧ୍ୟ ହୋଇଥିଲେ।

ଏହି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ନୂପୁରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା। ଏହାପରେ ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ଵନ କରିଥିଲା। ଅନ୍ୟପଟେ ଏହି ମନ୍ତବ୍ୟ ପାଇଁ ନୁପୂର ଲିଖିତ ଆକାରରେ କ୍ଷମା ମାଗିଥିଲେ। କିନ୍ତୁ ନୁପୂର ଟିଭି ଜରିଆରେ ଦେଶବାସୀଙ୍କୁ କ୍ଷମା ମାଗିବାକୁ କୋର୍ଟ କହିଛନ୍ତି।

Tags: #ନୁପୂର ଶର୍ମା #BJP #ସୁପ୍ରିମକୋର୍ଟ #ProphetMohammed #NupurSharma

Comment