ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ଶୁକ୍ରବାର ରାତିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। କୋଠଭୋଗ ପ୍ରସ୍ତୁତ ପାଇଁ ଥିବା ଚୁଲିକୁ ଛାଡ଼ି ଅନ୍ୟ ସମସ୍ତ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ମୋଟ ୭୫୨ଟି ଚୁଲି ମଧ୍ୟରୁ ୨୦ରୁ ଅଧିକ ଚୁଲି ଭଙ୍ଗା ଯାଇଛି। ଅଭିଯୋଗ ପରେ ଶନିବାର ସକାଳୁ ସକାଳୁ ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବଡ଼ଠାକୁରଙ୍କ ଆାଡ଼ପ ଅବଢ଼ା ରାନ୍ଧିବା ପାଇଁ ୩ ଦିନ ପୂର୍ବରୁ ଚୁଲି ତିଆରି କରାଯାଇଥିଲା। କିନ୍ତୁ କାହିଁକି ଏବଂ କିଏ ଏହି ଚୁଲିକୁ ଭାଙ୍ଗିଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆଡ଼ପ ଅବଢ଼ା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଚାହିଁ ରହିଥିବାରୁ ଭାଙ୍ଗି ପଡ଼ିଥିବା ଚୁଲିର ମରାମତି କରାଯାଉଛି। ଚୁଲିକୁ କେହି ହାତରେ ଭାଙ୍ଗିଥିବା କିଛି ସେବାୟତ ଗୁରୁତର ଅଭିଯୋଗ କରିଛନ୍ତି। 

ଏହା ପୂର୍ବରୁ ଶ୍ରୀମନ୍ଦିର ରୋଷଶାଳାରେ ପଶି କେହି ଦୁର୍ବୃତ୍ତ ୪୦ରୁ ଅଧିକ ଚୁଲି ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା। ପରେ ଜଣକୁ ଏହି ଘଟଣାରେ ଗିରଫ ମଧ୍ୟ କରାଯାଇଥିଲା।

Tags: #PuriShreeMandir #ShreeGundicha #ChulhaVandalised #RathYatra #Festival #Culture

Comment