ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ଗୃହରେ ଆଲୋଚନା ପାଇଁ ରାଜ୍ୟର ଅନେକ ସମସ୍ୟା ରହିଥିବାବେଳେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବିଧାନସଭାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ।

ପ୍ରଥମେ ନୂପୁର ଶର୍ମାଙ୍କ ପ୍ରସଂଗ ଉଠାଉଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ସେ କହିଥିଲେ, ନୁପୂର ଶର୍ମା ବିଜେପି ଦଳର ମୁଖପାତ୍ର ଥିଲେ। ସୁପ୍ରିମକୋର୍ଟ ନୂପୁରଙ୍କୁ ଭର୍ତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ ନରସିଂହ ମିଶ୍ର। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଏହି ଅଭିଯୋଗ ପରେ ପାଲଟା ଆକ୍ରମଣ କରିଥିଲେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ। ସେ କାଶ୍ମୀର ପଣ୍ଡିତ ଏବଂ ଉଦୟପୁର ହିଂସା କଥା ଉଠାଇ କଂଗ୍ରେସକୁ ଘେରିଥିଲେ। ଏହି ପ୍ରସଂଗକୁ ନେଇ ଉଭୟ ଦଳର ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ପାଟିତୁଣ୍ଡ କରିଥିଲେ।

ନୂପୁର ଶର୍ମା ଗୃହର ସଦସ୍ୟ ହୋଇନଥିବାରୁ ତାଙ୍କ ବିଷୟରେ ଗୃହରେ ଆଲୋଚନା ନକରିବାକୁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣ କରିଥିଲେ ବାଚସ୍ପତି।

Tags: #Assembly #MonsoonSession #Adjourned #NupurSharmaMatter #Politics

Comment