ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ। ସୋମବାର ଦିନ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ଆଜି ମାଟ୍ରିକ୍ ପରୀକ୍ଷା ଫଳାଫଳ ସମ୍ପର୍କରେ ସୂଚନା ଦେବା ପରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ଖାତା ମୂଲ୍ୟାୟନ ଗତ ଜୁନ ୨ ତାରିଖରୁ ଆରମ୍ଭ ହୋଇଥିଲା। ମୋଟ ୬୪ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରାଯାଇଥିଲା। ୨ଟି ପର୍ଯ୍ୟାୟରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ହୋଇଥିଲା। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ଜୁନ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହୋଇଥିଲା।

ଗତ ଏପ୍ରିଲ ୨୮ ତାରିଖରେ ରାଜ୍ୟର ବିଭିନ୍ନ କଲେଜରେ ଦ୍ଵାଦଶ ପରୀକ୍ଷା ଆରମ୍ଭ ହୋଇଥିଲା। ଜୁନ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ପରୀକ୍ଷା ଦେଇଥିଲେ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ।

ବ୍ରଜରାଜନଗର ଉପନିର୍ବାଚନ ଲାଗି ଗତ ମେ’ ୩୧ ତାରିଖରେ ହେବାକୁ ଥିବା ଦ୍ଵାଦଶ ପରୀକ୍ଷାକୁ ଜୁନ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Tags: #Education #+2Result #Examination #ExamResult

Comment