ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନ ହେଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର। ବ୍ରିଟେନ ସହ ଭାରତର ବେଶ୍ ଭଲ ସମ୍ପର୍କ ରହିଛି। ବିଶେଷକରି ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କର ଭାରତ ସହିତ ଦୃଢ଼ ସମ୍ପର୍କ। ଭାରତ ସହିତ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରଖିବା କ୍ଷେତ୍ରରେ ବ୍ରିଟେନ ଇତିହାସରେ ବୋରିସ୍ ବୋଧ ହୁଏ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଏବେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଲା ପରେ ଏହା ଭାରତ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର ହେଉଛି।
ଗତ ଏପ୍ରିଲ ମାସରେ ଭାରତ ଗସ୍ତରେ ଆସିଥିଲେ ବୋରସ୍ ଜନସନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ସେ ବୈଠକ କରିଥିଲେ। ଭାରତ ଓ ବ୍ରିଟେନର ସମ୍ପର୍କକୁ ନୂଆ ଦିଗ ଦେବା ଲାଗି ରୋଡମ୍ୟାପ ପ୍ରସ୍ତୁତ ହୋଇଥିଲା। ଏହାସହିତ ନୂଆ ଏଫଟିଏ (ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ) ବା ମୁକ୍ତ ବ୍ୟବସାୟ ରାଜିନାମା ହେବ ବୋଲି ସ୍ଥିର ହୋଇଥିଲା। ଏହାଛଡ଼ା ଉଭୟ ଦେଶର ଆକାଶମାର୍ଗ, ସ୍ଥଳ ଓ ସାମୁଦ୍ରିକ ବିପଦ ସହ ମକାବିଲା ଲାଗି ସହମତ ପ୍ରକାଶ କରିଥିଲେ।
ସେହିପରି ଭାରତକୁ ନିଜସ୍ୱ ଲଢ଼ୁଆ ଜେଟ୍ ନିର୍ମାଣ ଲାଗି ବ୍ରିଟେନ ସହାୟତା କରିବ ବୋଲି ବୋରିସ୍ ଜନସନ ଭାରତ ଗସ୍ତରେ ଆସିଥିବା ବେଳେ କହିଥିଲେ। ଭାରତର ନିଜର ଅସ୍ତ୍ରଶସ୍ତ୍ର ଆମଦାନି ଳାଗି ରୁଷ୍ ଉପରେ ନିର୍ଭର କରେ। ଏଭଳି କ୍ଷେତ୍ରରେ ରୁଷ୍ ଉପରେ ଭାରତର ନିର୍ଭରଶୀଳତାକୁ କମାଇବା ଲାଗି ସେ ଏଭଳି ପ୍ରସ୍ତାବ ଦେଇଥିବା କହିଥିଲେ। ତେଣୁ ଏବେ ଯେତେବେଳେ ବୋରିସ୍ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ତେଣୁ ଏହା ଭାରତରେ ଉପରେ ଗଭୀର ପ୍ରଭାବ ପକାଇବ ବୋଲି କୁହାଯାଉଛି।
ଭାରତ ଉପରେ ପ୍ରଭାବ ପଡ଼ିବ ନାହିଁ: ଅରିନ୍ଦମ ବାଗ୍ଚୀ
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନସନ ଇସ୍ତଫା ଦେବା ଏହା ବ୍ରିଟେନର ଆଭ୍ୟନ୍ତରୀଣ ପ୍ରସଙ୍ଗ। ବ୍ରିଟେନରେ ନେତୃତ୍ୱ ପରିବର୍ତ୍ତନ ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ। ବ୍ରିଟେନ ସହିତ ଭାରତର ଭଲ ସମ୍ପର୍କ ରହିଛି। ଦୁଇ ଦେଶରେ ବିଭିନ୍ନ ବୁଝାମଣା ହୋଇଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
କାହିଁକି ଇସ୍ତଫା ଦେଲେ ବୋରିସ୍?
ବ୍ରିଟେନରେ ବୋରିସ୍ ଜନସନଙ୍କ କନଜରଭେଟିଭ୍ ପାର୍ଟିର ସରକାର ରହିଥିଲା। ସେ ଥିଲେ ସଂସଦୀୟ ଦଳର ନେତା। କିନ୍ତୁ କିଛି ମାସ ହେଲା ବୋରିସଙ୍କ କାର୍ଯ୍ୟକଳାପକୁ ନେଇ ବିଦ୍ରୋହର ସ୍ୱର ଉଠିଥିଲା। ଦଳର ବହୁ ସାଂସଦ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ବିଶେଷକରି ଅର୍ଥନୀତି ବ୍ୟବସ୍ଥାକୁ ନେଇ ଅର୍ଥମନ୍ତ୍ରୀ ରିଷି ସୁନକ୍ ଓ ସ୍ୱାସ୍ଥକ୍ଷେତ୍ରକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭେଦ ଅସନ୍ତୁଷ୍ଟ ଥିଲେ। ଏହାବ୍ୟତୀତ ଦଳର ବହୁ ସାଂସଦ ବୋରିସଙ୍କ ବିରୋଧରେ ଛିଡ଼ା ହୋଇଥିଲେ। ଏହିକ୍ରମରେ କିଛି ଦିନ ତଳେ ବୋରିସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏହାପରେ ବି ପ୍ରଧାନମନ୍ତ୍ରୀ ପଦରୁ ଓହରିବେ ନାହିଁ ବୋଲି ବୋରିସ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ରିଷି ସୁନକ ଏବଂ ସାଜିଦ ଜାଭେଦ ଇସ୍ତଫା ଦେବା ପରେ ଆଉ କିଛି ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିଲେ। ବହୁ ସାଂସଦ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ବାଧ୍ୟ ହୋଇ ଗୁରୁବାର ଦିନ ବୋରିସ ନିଜ ପଦରୁ ଇସ୍ତଫା ଦେଇଥିଲେ।
ବୋରିସଙ୍କ ବିରୋଧରେ ଅଭିଯୋଗ
ଦୀର୍ଘଦିନରୁ ବୋରିସ ଜନସନଙ୍କ ନାଁରେ ବିଭିନ୍ନ ଅଭିଯୋଗ ରହିଥିଲା। କରୋନା କଟକଣା ମଧ୍ୟରେ ପାର୍ଟି କରିବାକୁ ନେଇ ସେ ବିବାଦ ଘେରକୁ ଚାଲି ଆସିଥିଲେ। ଏହାଛଡ଼ା ସାଂସଦ କ୍ରିସ୍ ପିଞ୍ଚରଙ୍କୁ ସଂସଦର ଉପ ମୁଖ୍ୟ ସଚେତକ ନିଯୁକ୍ତ କରିବା ଘଟଣା ବୋରିସ୍ଙ୍କ ପାଇଁ ଘାତକ ହୋଇଥିଲା। କାରଣ ପିଞ୍ଚରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିଲା, ଏହା ଜାଣି ସତ୍ତ୍ୱେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିବା ଘଟଣାକୁ ନେଇ ବହୁ ସାଂସଦ ତାଙ୍କ ବିରୋଧୀ ହୋଇଯାଇଥିଲେ।
ବୋରିସ୍ଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ କିଏ?
ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଇତିମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଦୌଡ଼ରେ କଞ୍ଜରଭେଟିଭ ପାର୍ଟିର ୬ ଜଣ ନେତାଙ୍କ ନାଁ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ରିଷି ସୁନକ୍, ଲିଜ ଟ୍ରସ, ଜେରେମି ହଣ୍ଟ, ନଦିମ ଜାହଓ୍ୱି, ପେନି ମର୍ଡଣ୍ଟ, ବେନ୍ ଓ୍ୱାଲେସ୍। ତେବେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ରିଷି ସୁନକ। ବୋରିସଙ୍କ ନିର୍ବାଚନ ପ୍ରଚାରରେ ବଡ଼ ଭୂମିକା ଗ୍ରହଣ କରିଥିଲେ ରିଷି।
Tags: #BorishJohnson #UK #Britain #British #IndianPolitics #ବୋରିସ୍ ଜନସନ #ବ୍ରିଟେନ