ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକଠାରେ। ଜଣେ ପୋଲିସ୍ ଅଧିକାରୀଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଉପରେ ଆନ୍ଦୋଳନ ଜାରି ରଖିଛନ୍ତି ସ୍ଥାନୀୟ ଲୋକ। ଫଳରେ ସୋନପୁର-ବଲାଙ୍ଗିର ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

ଦୁର୍ଘଟଣା ଘଟାଇଟିବା କାର୍‌ଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ସୋନପୁର ଏସପି ଅପମରେଶ ପଣ୍ଡା। ସେ କହିଛନ୍ତି “ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଇନ୍ସପେକ୍ଟରଙ୍କର କାରଟି ସମ୍ପୂର୍ଣ୍ଣ ଦାୟୀ। ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ପୋଷ୍ଟିଂ ଅଥରିଟିଙ୍କ ସହ ଆଲୋଚନା କରାଯାଇଛି। ତୁରନ୍ତ କାର ଚାଳକକୁ ଗିରଫ କରାଯିବ”।

ମିଳିଥିବା ସୂଚନା ଅନୁସାରେ ବନବାହାଲି ଛକଠାରେ ଛିଡ଼ା ହୋଇଥିବା ଗୋଟିଏ ଅଟୋ ଏବଂ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୭ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୫ ଜଣଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା କାର୍ ଭିତରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ଥ୍ରୀ ଷ୍ଟାର ଯୁକ୍ତ ଡ୍ରେସ୍ ରହିଥିବାରୁ କାରଟି ଜଣେ ପୋଲିସ୍ ଅଧିକାରୀଙ୍କର ବୋଲି କୁହାଯାଉଛି। ଗାଡ଼ିଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର ବୋଲି ଜଣାପଡ଼ିଛି। କିନ୍ତୁ କାରରେ କେତେ ଜଣ ରହିଥିଲେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

LEAVE A REPLY

Please enter your comment!
Please enter your name here