ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବିଶ୍ଵବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣର ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଦୁଇଟି ଯାକ ପରୀକ୍ଷା ବାତିଲ ହୋଇଛି। ଆସନ୍ତା ୧୮ ତାରିଖ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଯାଞ୍ଚ ହେବ ବୋଲି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ କହିଛନ୍ତି।

ଗୁରୁବାର ଦିନ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ଅଭିଯୋଗ ପରେ ପରୀକ୍ଷା ବାତିଲ ହୋଇଥିଲା। ଏହି ଘଟଣାର ତଦନ୍ତ କରାଯିବ ବୋଲି ଗତକାଲି ବିଶ୍ଵଦ୍ୟାଳୟ କୁଳପତି ସୂଚନା ଦେଇଥିଲେ। ପ୍ରଶ୍ନପତ୍ର ଲିକ୍ ଘଟଣା ଉପରେ ଏହିଠାରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଜି ପୁନର୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଶୁକ୍ରବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି। ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ମାନିବା ସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରାଯାଇଛି। ପରବର୍ତ୍ତୀ ପରୀକ୍ଷା କେବେ କରାଯିବ ସେନେଇ ଜଣାଇ ଦିଆଯିବ ବୋଲି ବିଶ୍ଵଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗୁରୁବାର ଦିନ ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଥିଲା। ତେଣୁ ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ପ୍ରଶ୍ନପତ୍ର ସେଟ୍ କରିଥିବା କର୍ମଚାରୀଙ୍କ ଭୂମିକାକୁ ଏନେ ଏବେ ସନ୍ଦେହ ଉପୁଜିଛି। ଆଜି ଏହି ଘଟଣାକୁ ନେଇ ଉଭୟ ବୁର୍ଲା ଥାନା ଏବଂ ସାଇବର ଥାନାରେ ଏତଲା ଦିଆଯିବ। ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି କହିଛନ୍ତି ବୁର୍ଲା ଏସଡିପିଓ।

ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ପଛରେ ଜଣେ ଏଗଜାମିନରଙ୍କ ହାତ ଥିବା ନେଇ ସେ ସନ୍ଦେହ କରିଛନ୍ତି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏଗଜାମିନର ରହିଥିବା କୁଳପତି କହିଛନ୍ତି। ସମ୍ପୃକ୍ତ ଏଗଜାମିନର ଓ ତାଙ୍କ ଅଧ୍ୟକ୍ଷଙ୍କୁ ଡକାଯାଇଛି। ଘଟଣାର ତଦନ୍ତ କରାଯିବ। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣିତ ହେଲେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏଣିକି ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ କଲେଜଗୁଡ଼ିକୁ ପଠାଯିବ ପ୍ରଶ୍ନପତ୍ର

ଦୁଇ ଦିନରେ ଦୁଇ ଦୁଇ ଥର ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରୀକ୍ଷାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ଦେହ ଘେରରେ ରହିଥିବା ଏଗଜାମିନରଙ୍କୁ ଆଉ କୌଣସି ପରୀକ୍ଷା କାର୍ଯ୍ୟରେ ସାମିଲ କରାଯିବ ନାହିଁ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରରେ ଆଗକୁ ହେବାକୁ ପରୀକ୍ଷାଗୁଡ଼ିକ କରାଯିବ ନାହିଁ।

ଆଗକୁ ହେବାକୁ ଥିବା ପରୀକ୍ଷାଗୁଡ଼ିକ ପାଇଁ ସାନି ପ୍ରଶ୍ନପତ୍ର କରାଯିବ। ଏହି ପ୍ରଶ୍ନପତ୍ରକୁ ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ଇ-ମେଲ ଯୋଗେ କଲେଜଗୁଡ଼ିକୁ ପଠାଯିବ। କଲେଜରେ ପ୍ରିଣ୍ଟ୍‌ ଆଉଟ ବାହାର କରାଯିବା ପରେ ପିଲାଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ ବୋଲି କୁଳପତି ସଞ୍ଜୀବ ମିତ୍ତଲ କହିଛନ୍ତି।

ଗୁରୁବାର ଦିନ ପ୍ରଥମେ ସମ୍ବଲପୁର ବିଶ୍ଵଦ୍ୟାଳୟରୁ ଯୁକ୍ତ ୩ ବର୍ଷ ଏଜୁକେସନ ପ୍ରଶ୍ନ ପତ୍ର ଲିକ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଜି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #Education #Examination #QuestionPaperLeak #SambalpurUniversity

Comment