ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପାନୀୟ ଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ଏହିଭଳି ପାନୀୟ ଜଳ ସମସ୍ୟା ଦେଇ ଗତିକରୁଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗାତେରି ପଞ୍ଚାୟତ ଅନ୍ତର୍ଗତ ଡାକଡୋଲ ନୂଆସାହି ଗ୍ରାମର ଲୋକେ। ଗାଁରେ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ମହିଳାମାନେ ଗରା ବାଲ୍ଟି ଧରି ଏକ କିଲୋମିଟର ଦୂର ଚାଲି ଚାଲି ବିଲ ଗାଡ଼ିଆରୁ ପାଣି ସଂଗ୍ରହ କରିବାକୁ ଯାଉଛନ୍ତି।

ଗାଁରେ କୂଅ କିମ୍ବା ନଳକୂଅଟିଏ ନାହିଁ। ଏପରିକି ଗ୍ରାମବାସୀ ଗାଧୋଇବା ପାଇଁ ପୋଖରୀଟିଏ ସୁଦ୍ଧା ନାହିଁ। ଗାଧୁଆଠାରୁ ପାନୀୟ ଜଳ ଯୋଗାଡ଼ କରିବା ପାଇଁ ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ଗ୍ରାମବାସୀଙ୍କ ପାଇଁ ପାଣି ସୁବିଧା କରିବା ଲାଗି ପଞ୍ଚାୟତଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ସମସ୍ୟା ନବୁଝିବାରୁ ଗ୍ରାମାୟବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶୁକ୍ରବାର ଦିନ ଏହା ପ୍ରତିବାଦରେ ଡାକଡୋଲା ନୂଆସାହି ଗ୍ରାମର ମହିଳାମାନେ ଏକତ୍ର ହୋଇ ଗରା ବାଲ୍ଟି ରାସ୍ତା ଉପରେ ରଖି ଧାରାଣାରେ ବସିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲା। 

ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍ ବିଛାଯାଇଛି। କିନ୍ତୁ ପାଣି ଯୋଗାଣ କରାଯାଉ ନାହିଁ। ମାସ ମାସ ଧରି ଲୋକେ ପାଇପକୁ ଚାହିଁ ରହିଛନ୍ତି। ଦୀର୍ଘ ତିନି ଘଣ୍ଟା ଧରି ମହିଳାମାନେ ଧାରଣାସ୍ଥଳରେ ବସି ରହିବାରୁ ସେହି ରାସ୍ତା ଦେଇ ଗାଡ଼ିଚଳା ଚଳ ବନ୍ଦ ରହିଥିଲା। ଖୁବ୍ ଶୀଘ୍ର ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ବିଡିଓ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାସ୍ଥଳରୁ ଉଠିଥିଲେ।

Tags: #water #drinkingWater #people #Problem

Comment