ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଥିବାବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଏବଂ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ ନେଇ କଂଗ୍ରେସ ଶିବିରରେ ଝଡ଼ ଉଠିଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ପାର୍ଟି ନୁହେଁ ଆଗ ମାଟି। ଜଣେ ଓଡ଼ିଆ ହିସାବରେ ତଥା ବିବେକ ଦୃଷ୍ଟିରୁ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କହିଛନ୍ତି ମୋକିମ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ମୋର ଖଣ୍ଡେ ଭୋଟ ମିଶିଲେ ମୁ ଗର୍ବ ଅନୁଭବ କରିବି। ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହୁଇପ ନଥାଏ। ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି। ଦ୍ରୌପଦୀ ଜଣେ ଓଡ଼ିଆ ଏବଂ ଆଦିବାସୀ ମହିଳା ହୋଇଥିବାରୁ ମୁଁ ତାଙ୍କୁ ଭୋଟ ଦେଇଛି। ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ମୁଁ ଏହି ନିଷ୍ପତ୍ତି ନେଇଛି।”

ଏପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ନିଷ୍ପତ୍ତି ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଏବଂ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସ ଶିବିରରେ ଝଡ଼ ଉଠିଛି। ଏ ସମ୍ପର୍କରେ ହାଇମାଣ୍ଡଙ୍କୁ ଅବଗତ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ସେ କହିଛନ୍ତି ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: #Election #PesidentialElection #Vote #Congress #BJP #MahammadMoquim

Comment