ଓଡ଼ିଶାଲାଇଭ୍ ବ୍ୟୁରୋ

 (ନୟାଗଡ଼ରୁ ନିଶିକାନ୍ତ ରଥ): ରାସ୍ତା ନଥିବାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ନିକ ଅଞ୍ଚଳ ମୁଜୁରୁବାଡ଼ି ଗାଁର ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯିବାର ଚିତ୍ର ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ।

ମୁଜୁରୁବାଡ଼ି ଗାଁର ସେବତୀ କହଁରଙ୍କୁ ଅସୁସ୍ଥତା କାରଣରୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା। କିନ୍ତୁ ରାସ୍ତା ନଥିବାରୁ ଚଢ଼େୟାପଲ୍ଲୀ ଗାଁ ନିକଟରେ ଅଟକି ରହିଥିଲା ୧୦୮ ଆମ୍ବୁଲାନ୍ସ। ପରିବାର ଲୋକ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ଅସୁସ୍ଥ ସେବତୀଙ୍କୁ ଖଟିଆ ଭାରରେ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ତାଙ୍କୁ ଆମ୍ବୁଲନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା।

ମୁଜୁରୁବାଡ଼ି ଗାଁରେ ୨୫ରୁ ଅଧିକ ପରିବାର ବସବାସ କରୁଛନ୍ତି। ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ମୁଜୁରୁବାଡ଼ି ଗାଁକୁ ଯାତାୟତ କରିବା ଲାଗି ସବୁଦିନିଆ ରାସ୍ତାଟିଏ ନାହିଁ। ଅନ୍ୟ ସୁବିଧା କଥା ନକହିବା ଭଲ। ଗାଁର ପ୍ରାୟ ଜାତି ଓ ଜନଜାତି ବାସିନ୍ଦାଙ୍କ ଜୀବନ ଜଙ୍ଗଲ ପରିବେଶ ମଧ୍ୟରେ କଟୁଛି। ଆବଶ୍ୟକ ସମୟରେ ଲୋକଙ୍କୁ କୌଣସି ସ୍ୱାସ୍ଥ୍ୟ ସେବା ମିଳୁନଥିବା ଅଭିଯୋଗ କରିଛନ୍ତି ଗାଁର କିଶୋର ଚନ୍ଦ୍ର କହଁର। ଗ୍ରାମାଞ୍ଚଳ ବିକାଶ ଲାଗି ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ମୁଜୁରୁବାଡ଼ି ଗାଁକୁ ସବୁଦିନିଆ ରାସ୍ତା ନଥିବା ଦୁର୍ଭାଗ୍ୟର ବିଷୟ।

Tags: #Health #HealthIssue #MedicalFacities #Nayagarh

Comment