ଓଡ଼ିଶାଲାଇଭ୍ ବ୍ୟୁରୋ

  • ଧାରଣାସ୍ଥଳରୁ ରାହୁଲ ଗାନ୍ଧୀଙ୍କୁ ଉଠାଇ ନେଲା ପୋଲିସ୍
  • ଦେଶବ୍ୟାପୀ ଇଡି କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ନ୍ୟାସନାଲ ହେରାଲ୍ଡ ମାମଲାରେ ଦ୍ଵିତୀୟ ଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀଙ୍କୁ ଦ୍ଵିତୀୟ ଦଫା ପଚରାଉଚୁରା କରାଯାଇଛି। ଏହା ପୂର୍ବରୁ ଗତ ଗୁରୁବାର ଦିନ ସୋନିଆ ଗାନ୍ଧୀଙ୍କୁ ଏହି ମାମଲାରେ ପ୍ରଥମ ଥର ଜେରା କରି ଛାଡ଼ି ଦେଇଥିଲା ଇଡି। ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ମଙ୍ଗଳବାର ଦିନ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସୋନିଆ ଗାନ୍ଧୀଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ ସାଥିରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି। ଗତ ଥର ସୋନିଆ ଗାନ୍ଧୀଙ୍କ ସହିତ ଇଡି କାର୍ଯ୍ୟାଳୟକୁ ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ। କିନ୍ତୁ ପଚରାଉଚରା ସମୟରେ ପ୍ରିୟଙ୍କାଙ୍କୁ ରହିବା ପାଇଁ ଅନୁମତି ଦିଆଯାଇ ନଥିଲା।

ଆଜି ପୁନର୍ବାର ଇଡି କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀ ହାଜର ହେବା ଘଟଣାକୁ ନେଇ ଦିଲ୍ଲୀରେ କଂଗ୍ରେସ ନେତା ଏବଂ କର୍ମୀମାନେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଘାଟରେ ବିରୋଧ ପାଇଁ ପୋଲିସ୍ ଅନୁମତି ଦେଇନଥିବାବେଳେ ୧୪୪ ଧାରା ଜାରି କରାଯାଇଛି। ଏହା ସହିତ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପୋଲିସ୍ ମୁତୟନ ରହିଛନ୍ତି। ବିଜେପି ଜାଣିଶୁଣି ସୋନିଆ ଗାନ୍ଧୀଙ୍କୁ ଫସାଇବାକୁ ଅପଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ।

ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ସାଂସଦମାନେ ହଙ୍ଗାମା କରିବା ସହ ସଂସଦରେ ସରକାରଙ୍କୁ ଘେରିଥିଲେ। କଂଗ୍ରେସ ନେତା, କର୍ମୀ ଏବଂ ମହିଳା ଓ୍ଵିଙ୍ଗସ କଂଗ୍ରେସ ରାଷ୍ଟ୍ରୀୟ କାର୍ଯ୍ୟାଳୟ ଆଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଣେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ଦଳୀୟ ସାଂସଦମାନେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ ସାଂସଦମାନଙ୍କ ସହ ବିଜୟ ଚୌକଠାରେ ଧାରଣାରେ ବସିଥିଲେ। ଧାରଣାସ୍ଥଳରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ସାଂସଦମାନଙ୍କୁ ଉଠାଇ ନେଇଛି ପୋଲିସ।

ଏଣେ କଂଗ୍ରେସ ନେତା ଅଜୟ ମାକାନ କହିଛନ୍ତି ନ୍ୟାସନାଲ ହେରାଲ୍ଡ କେସ ୨୦୧୬ ମସିହାରୁ ବନ୍ଦ ହୋଇଯାଇଥିଲା। ଆଜି କଂଗ୍ରେସ ନେତା ଏବଂ କର୍ମୀମାନେ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କାର୍ଯ୍ୟାଳୟରେ ବାରମ୍ବାର ହାଜର ହେବାକୁ ବିରୋଧ କରି ରାଜଘଟରେ ସତ୍ୟାଗ୍ରହ କରିବାକୁ ଚାହୁଥିଲେ, କିନ୍ତୁ ବିଜେପି ଏଥିପାଇଁ ଅନୁମତି ଦେଲା ନାହିଁ।

Tags: #Congress #SoniaGandhi #NationalHeraldCase #EDOffice #RahulGandhi #Protest

Comment