ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ।

ପୀଡ଼ିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅମୀୟ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୧୮ ମସିହା ଅଗଷ୍ଟ ୨୩ ତାରିଖରେ ନୟଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଏକ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ନାବାଳିକାକୁ ପୋଲିସ୍ କର୍ମଚାରୀ ଥିବା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମର ବ୍ରଜକିଶୋର ମଲ୍ଲିକ(୫୪) ଦୁଷ୍କର୍ମ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ଏହି ମାମଲାଟି ନୟାଗଡ଼ ମହିଳା କୋର୍ଟରେ ବିଚାରାଧୀନ ଥିଲା। କିନ୍ତୁ ମାମଲାର ଗୁରୁତ୍ବକୁ ଦେଖି ପରେ ଏହା ଫାଷ୍ଟଟ୍ରାକ୍ ପକସୋ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ଏହି ମାମଲାର ବିଚାର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ରଜକିଶୋର ମଲ୍ଲିକକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୬୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତଙ୍କ ନିର୍ଦ୍ଦେଶ ରହିଛି।

Tags: #Crime #Judgment #Court #Nayagarh #RapeCase

Comment