ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁରରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମ ସତ୍ତ୍ୱେ ହଇଜା ସ୍ଥିତି ଆୟତ୍ତକୁ ଆସୁନି। କ୍ରମଶଃ ବଢ଼ିଚାଲିଛି ରୋଗୀଙ୍କ ସଂଖ୍ୟା। ଏଣେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ଜୁଲାଇ ୧୬ ତାରିଖ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହା ପରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ଆଉ ଜଣେ ହଇଜାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି କାଶୀପୁର ଅନ୍ତର୍ଗତ ଜାମୁଗୁଡ଼ା ଗ୍ରାମର ସୁନି ମାଝୀ। ବର୍ତ୍ତମାନ କାଶୀପୁରରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬୪ ଜଣ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

କାଶୀପୁର ଅଞ୍ଚଳରେ ଦିନକୁ ଦିନ ହଇଜାରେ ଲୋକେ ଆକ୍ରାନ୍ତ ହେବାକୁ ଲାଗିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ କାଶୀରପୁରରେ ଡେରା ପକାଇଥିଲେ ହେିଁ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ, ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟ ମକରନ୍ଦ ମୁଦୁଲି ଏହି ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ।

କାଶୀପୁର ବ୍ଲକର ୭୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ହଇଜା ରୋଗ ବ୍ୟାପିଥିବା ଜଣାପଡ଼ିଛି। ଦୁଡୁକାବାହାଲ, ମଇକଞ୍ଚ, ଶଙ୍କରଡା, ଟିକିରି, ପୋଡାପାଡି, କୁଚେଇପଦର ଓ ରେଙ୍ଗା ଆଦି ପ୍ରଞ୍ଚାୟତର ୭୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ହାଇଜା ବ୍ୟାପିଥିବା ଜଣାପଡ଼ିଛି। ଶିଶୁମାନେ ମଧ୍ୟ ହଇଜା କବଳରୁ ରକ୍ଷା ପାଇନାହାନ୍ତି। ୧୨ରୁ ଅଧିକ ଶିଶୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ୫ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଜଣ ରୋଗୀ ଚିକିତ୍ସଧିନ ରହିଥିବାବେଳେ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧,  ଉତ୍କଳ ଚିକିତ୍ସାଳୟରେ ୨୬ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି।

ଅନ୍ୟପକ୍ଷରେ ଦୂଷିତ ଜଳ ପିଇବା କାରଣରୁ ହଇଜା ବ୍ୟାପୁଥିବା ଆରଏମଆରସି ରିପୋର୍ଟ ଆସିବା ପରେ ଜିଲ୍ଲା  ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ହଇଜା ପ୍ରଭାବିତ ଅଞ୍ଚଳରେ ଥିବା ଜଳ ଉତ୍ସଗୁଡ଼ିକୁ ବନ୍ଦ କରାଯାଇ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଏହା ସହିତ ସାହିଗଳି ରାସ୍ତାରେ ବ୍ଳିଚଂ ପାଉଡର ସୀଞ୍ଚନ କରାଯାଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଟିକିରିଠାରେ ଲୋକଙ୍କୁ ଆରଓମେସିନ୍ ଦ୍ୱାରା ବିଶୋଧନ ହେଉଥିବା ବିଶୁଦ୍ଧ ପାନୀୟ ଜଳ ଅଧଲିଟର ପ୍ୟାକେଟ୍ ପ୍ରଦାନ କରାଯାଉଛି।

ଗାଁରେ ଥିବା ଟ୍ୟାଙ୍କରୁ ଲୋକେ ପାଣି ସଂଗ୍ରହ କରୁଥିବାବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ହଇଜା ପ୍ରଭାବିତ ଟିକିରି, ଡୁଡୁକାବାହାଲ, କାଶୀପୁର, ପଞ୍ଚାଳି, ଶଙ୍କରଡା, ପୋଡାପାଡି, କାକୁଡିପଦର, ଗୋବିରିଘାଟି ସମେତ ଅନ୍ୟ ଗାଁ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୬ଟି ଟିମ୍ ଦ୍ୱାରା ନଳକୂପଗୁଡ଼ିକ ଥିବା ସ୍ଥାନରେ ମଧ୍ୟ ବ୍ଳିଚିଂ ପକାଇବା ସହ ପାଣି ନମୁନା ସଂଗ୍ରହ କରାଯାଇ ପ୍ରତିଦିନ ଲ୍ୟାବକୁ ପଠାଯାଉଛି।

ଟିକିରି, ନାକଟିଗୁଡା, କୁଚେଇପଦର, ଖୁରିଗାଁ, ରେଗାଁ, ଶଙ୍କରଡା, ହାଡିଗୁଡା ସମେତ ନଦୀତଟ ଅଞ୍ଚଳରେ ଥିବା ଜଳଉତ୍ସଗୁଡ଼ିକର ଜଳ ନମୁନା ସଂଗ୍ରହ କରାଯାଉଛି। ଖାଦ୍ୟ ଗ୍ରହଣ ପୂର୍ବରୁ ନିୟମିତ ଭାବେ ହାତକୁ ଭଲ ଭାବେ ଧୋଇବା, ଗରମ ଖାଦ୍ୟ ଓ ପାଣି ସଂଗ୍ରହ ସତର୍କତା ଅବଲମ୍ବନ କରିବା ଦ୍ବାରା ହଇଜା ଭଳି ମାରାତ୍ମକ ରୋଗ ବ୍ୟାପିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଇ ସମଗ୍ର ବ୍ଲକର ୨୮୦ଟି ଗାଁରେ ସଚେତନତା ଅଭିଯାନ ଜାରି ରହିଛି।

Tags: #Health #Rayagada #Kashipur #Death #Diarrhea

Comment