ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ସ୍ତରରେ ଏବେ ଓଡ଼ିଆମାନଙ୍କ ଦବାଦବା ବଢ଼ିଛି। ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ସୂଚାରୂରୂପେ ଦାୟିତ୍ୱ ତୁଲାଇ ସେମାନେ ପ୍ରଶଂସା ସାଉଣ୍ଟିଛନ୍ତି।

ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ନିକଟରେ ଭାରତର ସର୍ବୋଚ୍ଚ ନାଗରିକ ପଦବୀ ବା ରାଷ୍ଟ୍ରପତି ପଦବୀରେ ଆସୀନ ହୋଇଛନ୍ତି। ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଛନ୍ତିା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଏକ ଆଦିବାସୀ ପରିବାର ଝିଅ ଆଜି ରାଷ୍ଟ୍ରର ପ୍ରଥମ ନାଗରିକ। ତେଣୁ ଦ୍ରୌପଦୀଙ୍କୁ ନେଇ ଓଡ଼ିଶା ଆଜି ଗର୍ବ କରୁଛି।

୧୯୯୭ ମସିହାରେ ରାଜନୀତି ମଇଦାନକୁ ପ୍ରବେଶ କରିଥିଲେ ସେ। ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ।  ଭାରତୀୟ ଜନତା ପାର୍ଟିର (ବିଜେପି) ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ଆସନରୁ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଦୁଇ ଥର ବିଧାୟିକା ଏବଂ ମନ୍ତ୍ରୀ ଦାୟିତ୍ଵ ତୁଲାଇବା ପରେ ସେ ଜଣେ ସକ୍ରିୟ ବିଜେପି କର୍ମୀ ଏବଂ ଆଦିବାସୀ ଚେହେରା ଭାବେ ପରିଚିତ ହୋଇଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଅଛନ୍ତି। ଓଡ଼ିଶାର ତାଳଚେରରେ ଜନ୍ମିତ ଧର୍ମେନ୍ଦ୍ର ୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ହେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଦକ୍ଷତା ଯୋର୍ଗୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ତାଙ୍କ ସେହି ଦାୟିତ୍ୱ ମିଳିଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାରେ ସରକାରଙ୍କ କୋର କମିଟିର ସଦସ୍ୟ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି।

ଏନ୍‌ସିବି ମୁଖ୍ୟ ସତ୍ୟ ନାରାୟଣ ପ୍ରଧାନ

କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ମହାନିର୍ଦ୍ଦେଶକ ଅଛନ୍ତି। ଭୁବନେଶ୍ୱରରେ ଜନ୍ମିତ ଏସ୍‌ଏନ୍‌ ପ୍ରଧାନ ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର୍ର ଆଇପିଏସ୍ ଅଫିସର ଥିଲେ। ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି । ଜାତୀୟସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ କାର୍ଯ୍ୟ କରିଛନ୍ତି। ୨୦୧୯ ଜାନୁଆରି ମାସରେ ଏନଡିଆରଏଫ୍ ଡିଜି ଦାୟିତ୍ୱ ପାଇଲା ପରେ ସେ ଏହାକୁ କ୍ରିୟାଶୀଳ କରାଇପାରିଛନ୍ତି।

ସିଏଜି ଅଫ୍‌ ଇଣ୍ଡିଆ ଗିରିଶ ଚନ୍ଦ୍ର ମୁର୍ମୁ

୨୦୧୯ରେ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ। ଏବେ ସେ ସିଏଜି (କମ୍ପ୍ଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ) ଅଛନ୍ତି। ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଫିସର୍ ହେଉଛନ୍ତି ଗିରିଶ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଲଣ୍ଡନ ଯାଇ ସେଠାରେ ବର୍ମିଂହୋମ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ ପଢ଼ିଥିଲେ।

ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ଅନୁଗତ ଭାବେ ବେଶ୍ ପରିଚିତ। ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ସେ ଗୁଜୁରାଟରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ପ୍ରଧାନ

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଅଛନ୍ତି ଓଡ଼ିଆ ଅଫିସର ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ପୂର୍ବରୁ ସେ ଆଇଏମଡିରେ ଏଡିଜି ସହ ସାଇକ୍ଲୋନ ୱାର୍ଣିଂ ବିଭାଗ ମୁଖ୍ୟ ରହିଥିଲେ। ସେ ୧୯୯୨ ମସିହାରେ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଚାକିରିରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ଚାକିରି ଥିଲା ଓଡ଼ିଶାରେ।

୨୦୦୨ରେ ତାଙ୍କୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ସାଇକ୍ଲୋନିକ ୱାର୍ଣ୍ଣିଂ ବିଭାଗରେ ମୁଖ୍ୟ ଭାବେ କାମ କରିବାବେଳେ ଫାଇଲିନ୍, ତିତଲି ଓ ଫନି ଭଳି ବାତ୍ୟାର ପୂର୍ବାନୁମାନ ତାଙ୍କର ସତ ହୋଇଥିଲା। ମୃତ୍ୟୁଞ୍ଜୟ ମହାପାତ୍ର ଭଦ୍ରକର ଚାନ୍ଦବାଲିସ୍ଥିତ ରାଜଗୁରୁପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଶେଷ କରିବାପରେ ସେ ଭଦ୍ରକ କଲେଜରେ ଫିଜିକ୍ସ ଅନର୍ସ ରଖି ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ବାଣୀବିହାରରେ ଏମଏସସି କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଦାୟିତ୍ୱରେ ଏବେ ଅଛନ୍ତି ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର। ଗୁଜୁରାଟ୍‌ କ୍ୟାଡର ଆଇଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ଏହି ଦାୟିତ୍ୱ ନେଇଥିଲେ। ପିକେ ମିଶ୍ର।

ପ୍ରମୋଦ କୁମାର ମିଶ୍ରଙ୍କ ଘର ହେଉଛି ସମ୍ବଲପୁର ଜିଲ୍ଲାରେ। ସେ ଗଙ୍ଗାଧର ମେହେର କଲେଜରୁ ଗ୍ରାଜୁଏସନ ପାସ୍ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କରିଥିଲେ। ପରେ ସେ ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଣ୍ଟ ଇକୋନମିକ୍ସରେ ପିଏଚଡି କରିଥିଲେ।

ନରେନ୍ଦ୍ର ମୋଦୀ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପିକେ ମିଶ୍ର। ୨୦୦୧-୨୦୦୪ ଯାଏଁ ସେ ମୋଦୀଙ୍କ ପ୍ରମୁଖ ସଚିବ ରହିଥିଲେ। ୨୦୦୬ରୁ ୨୦୦୮ ଯାଏଁ ସେ କୃଷି ବିଭାଗର ସଚିବ ମଧ୍ୟ ଥିଲେ। ୨୦୦୮ରେ ଗୁଜୁରାଟ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନର ଅଧ୍ୟକ୍ଷ ଥିବା ବେଳେ ୨୦୦୯ରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିଲେ ପିକେ ମିଶ୍ର।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ୱରେ ଏବେ ଅଛନ୍ତି ଶକ୍ତିକାନ୍ତ ଦାସ। ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର। ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ଶକ୍ତିକାନ୍ତ ଦାସ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚରର ଯୁଗ୍ମ ସଚିବ, ତାମିଲନାଡୁ ସରକାରର ସ୍ଵତନ୍ତ୍ର କମିସନର ଓ ରାଜସ୍ଵ କମିସନର, ଶିଳ୍ପ ବିଭାଗର ସଚିବ ସହିତ ଅନେକ ମହତ୍ଵପୂର୍ଣ୍ଣ ପଦରେ କାମ କରି ସାରିଛନ୍ତି।

Comment