ଓଡ଼ିଶାଲାଇଭ୍ ବ୍ୟୁରୋ

(କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ନୟାଗଡ଼ ସହରରେ ଅସହାୟ ଏବଂ ନିରାଶ୍ରୟମାନଙ୍କ ଅନ୍ନଦାତା ସାଜିଛନ୍ତି ବିଭୁତି ଭୂଷଣ ପଟ୍ଟନାୟକ। ଚିକୁ ପଟ୍ଟନାୟକ ଭାବେ ସେ ବେଶ ପରିଚିତ। ପେଶାରେ ଚିକୁ ପଟ୍ଟନାୟକ ହେଉଛନ୍ତି ଜଣେ ଗ୍ୟାସ ଚୁଲା ମେକାନିକ। କିନ୍ତୁ ନିଶା ତାଙ୍କର ଅସହାୟ ଏବଂ ନିରାଶ୍ରୟମାନଙ୍କ ପେଟକୁ ଦାନା ଯୋଗାଇବା।

ଭଡ଼ାରେ ଦୋକାନଟିଏ ନେଇ ନିଜର ଗ୍ୟାସ ଚୁଲା ମରାମତି କାମ କରନ୍ତି ଚିକୁ ପଟ୍ଟନାୟକ। ଶନିବାର ଏବଂ ରବିବାର ଦିନ ସେ ବାହାରି ପଡ଼ଛନ୍ତି ଭୋକିଲା ଲୋକଙ୍କୁ ଖାଦ୍ୟ ପରସିବାକୁ। ସକାଳ ୧୦ଟା ହେଲେ ନିଜ ସ୍କୁଟରରେ ଖାଦ୍ୟ ଧରି ବାହାରିଯାଆନ୍ତି ସେ। କରୋନା ମହାମାରୀ ପରଠାରୁ ସେ ଅସହାୟ ଏବଂ ନିରାଶ୍ରୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ଚିକୁ ପଟ୍ଟନାୟକଙ୍କର ଏହି ସେବା ମନୋବୃତ୍ତି ପଛରେ ରହିଛି ଏକ ଦୁଃଖଦ କାହାଣୀ।

ରାଜ୍ୟରେ କୋଭିଡ ମହାମାରୀ ଦେଖା ଦେବାର କିଛି ଦିନ ପୂର୍ବରୁ ଚିକୁ ପଟ୍ଟନାୟକଙ୍କର ହସଖୁସିର ସଂସାରରେ ଗ୍ରହଣ ଲାଗିଯାଇଥିଲା। ଚାହୁଁ ଚାହୁଁ ନିମିଷକ ମଧ୍ୟରେ ଗୋଟିଏ ହସଖୁସିର ସଂସାର ଉଜୁଡ଼ିଗଲା। କୌଣସି କାରଣରୁ ତାଙ୍କର ୩ ବର୍ଷର ପୁଅର ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ପରିବାର। ଏହି ଘଟଣା ପରେ ରାଜ୍ୟକୁ  ମାଡ଼ିଆସିଥିବଲା କରୋନା। ଚାରି ଆଡେ ଲକ୍‌ଡାଉନ ସଟଡାଉନ ହେଲା। ଅନେକ ଲୋକ ରୋଜଗାର ହରାଇଲେ। ଅସହାୟ, ନିରାଶ୍ରୟ ଏବଂ ଭିକ୍ଷୁକ ପେଟକୁ ଗଣ୍ଡେ ଖାଇବାକୁ ପାଇଲେ ନାହିଁ। ଦିନେ ଏମାନଙ୍କର ଅବସ୍ଥା ଦେଖି ଅଧିର ହୋଇପଡ଼ି ଥିଲେ ଚିକୁ ପଟ୍ଟନାୟକ। 

ଏହା ପରେ ଚିନ୍ତା କରିଥିଲେ ଯାହା ପାଇଁ ସେ ରୋଜଗାର କରୁଥିଲେ ସେ ତ ଆଉ ନାହିଁ ଅର୍ଥ ସାଇତି ରଖିବେ କାହା ପାଇଁ? ଏହିପରି ଚିନ୍ତା କରି କରି ସେ ନିଜ ସଞ୍ଚିତ ଅର୍ଥକୁ ଗରିବ ଅସହାୟକଙ୍କ ସେବାରେ ଲଗାଇବାକୁ ମନସ୍ଥ କରିଥିଲେ। କିଛି ବନ୍ଧୁଙ୍କୁ ସାଙ୍ଗରେ ଧରି ନିଜ ପୁଅ ନାଁରେ ‘ସାଇ ପ୍ରସାଦ ଖାଦ୍ୟ ରଥ’ ଆରମ୍ଭ କରି ଅସହାୟ, ନିରାଶ୍ରୟମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ କରିଥିଲେ। ଗ୍ୟାସ ଚୁଲା ମରାମତି କରି ଯାହା ରୋଜଗାର ହୁଏ ସେଥିରୁ ବଡ଼ ଭାଗ ଅସହାୟକଙ୍କୁ ସହାୟତା ଲାଗି ରଖିଥାନ୍ତି ଚିକୁ ପଟ୍ଟନାୟକ।

ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇବା ସହ ସେ ଆବଶ୍ୟକ ଲୋକଙ୍କୁ ରକ୍ତଦାନ ମଧ୍ୟ କରିଥାନ୍ତି। ବିଭିନ୍ନ ସମୟରେ ସେ ରକ୍ତଦାନ ଶିବିରର ଆୟୋଜନ କରନ୍ତି। ଗରିବ ଅସହାୟମାନଙ୍କୁ ସେ ବସ୍ତ୍ର ମଧ୍ୟ ଯୋଗାଇଥାନ୍ତି। ତାଙ୍କର ଏହି ନିଃସ୍ଵାର୍ଥ ସେବା ମନୋବୃତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Tags: #ChikuPatnaik #FreeFoodService #Nayagarh

Comment