ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ସମେତ ଚାରିଟି ନଦୀର ଜଳସ୍ତର ବଢ଼ିବାକୁ ଲାଗିଛି। ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି। ଆଳିପିଙ୍ଗଳରେ ଦେବୀ ନଦୀ ଏବଂ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର ବଢିବା ସହ ବିପଦ ସଙ୍କେତ ଟପିଛି। ଅନେକ ତଳିଆ ଗାଁ ପ୍ରଭାବିତ ହୋଇଥିବାବେଳେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବନ୍ୟା ପିକ୍ ଛୁଇଁବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୩ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର ବଢ଼ୁଛି। ମୁଣ୍ଡୁଳିକୁ ଏବେ ୧୧.୬ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ସେ କହିଛନ୍ତି। କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହିତ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଉଥିବା ଯନ୍ତ୍ରୀ କହିଛନ୍ତି।

ଏପଟେ ବନ୍ୟା ପରିସ୍ଥିତି ପାଇଁ ଶତିଗଡ଼ ଓଡ଼ିଶାକୁ ଦୋଷ ଦେଉଥିବେଳେ ଏବେ ଦୁଇ ରାଜ୍ୟ ମଧ୍ୟରେ ଏହାର ମୁକାବିଲା ପାଇଁ ବୈଠକ ବସିବ। ଆଜି ଅପରାହ୍ଣ ୪ଟାରେ ବୈଠକ ହୋଇ ଓଡ଼ିଶା-ଛତିଶଗଡ଼ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଏପଟେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ଜଳ ସମ୍ପଦ ବିଭାଗର ବହୁ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ବନ୍ୟାର ସ୍ଥିତି ଏବଂ ଏହାର ମୁକାବିଲା ନିମନ୍ତେ ଆଲୋଚନା କରିଛନ୍ତି।

ଏବେ ବନ୍ୟା ପରିସ୍ଥିତିକୁ ନେଇ ନଦୀକୂଳିଆ ଗାଁଗୁଡ଼ିକର ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ଲୋକଙ୍କୁ ଭୟଭୀତ ନହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।

Tags: #FloodSituation #Odisha #Mahanadi #FloodWater

Comment