ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଛି କଟଅଫ୍ ମାର୍କ । ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ଶୀର୍ଷରେ ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ବିଜ୍ଞାନରେ ୯୪.୩୩ ପ୍ରତିଶତ କଟ୍ଅଫ ମାର୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଥମରେ, ୯୩.୨୦ ପ୍ରତିଶତ କଟଅଫ୍ ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠ ନଗର ଏସଭିଏମ୍ କଲେଜ ଦ୍ଵିତୀୟ ଏବଂ ୯୩ ପ୍ରତିଶତ କଟଅଫ୍ ମାର୍କ ସହ ଭୁବନେଶ୍ବରର ବକ୍ତି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜ ତୃତୀୟରେ ରହିଛି।

ବାଣିଜ୍ୟରେ ୮୪.୧୭ ମାର୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ଶୀର୍ଷରେ ରହିଛି। ୮୦.୬୭ ପ୍ରତିଶତ ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟ ରେ ଏବଂ ୭୯.୮୩ ପ୍ରତିଶତ ମାର୍କ ସହ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜ ତୃତୀୟରେ ରହିଛି।

ସେହିପରି କଳାରେ ୮୩.୫୦ ପ୍ରତିଶତ ମାର୍କ ସହ  କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ପ୍ରଥମରେ ରହିଛି। ୮୩.୩୩ ପ୍ରତିଶତ ମାର୍କ ସହ ରେଭନ୍ସୋ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ ଏବଂ ୮୩.୧୭ ମାର୍କ ସହ ନରସିଂହପୁର କଲେଜ ତୃତୀୟରେ ରହିଛି ।

ଆସନ୍ତା ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ଚାଲିବ। ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ଲାଇଡ୍‍ ଅପ୍‍ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ନାମଲେଖା ବାବଦରେ ଛାତ୍ରଛାତ୍ରୀ  www.samsodisha.gov.in ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ।

ତେବେ +୨ ନାମ ଲେଖାପାଇଁ ୭ ଲକ୍ଷ ୭୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୪ ଲକ୍ଷ ୭୪ ହଜାର ୨୭୭ ଜଣ ଫି’ ଦାଖଲ କରିଛନ୍ତି।

ଯୁକ୍ତ୨ ନାମଲେଖାଇବା ପାଇଁ ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି।

ସଂସ୍କୃତ ରେ ୧୩,୨୬୮ ଓ ଧନ୍ଦାମୂଳକ ରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।

ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ନାମେଲଖା ଜାରି ରହିବ। ତେବେ ବନ୍ୟା ସ୍ଥିତିକୁ ଦେଖି ନାମଲେଖା ଅବଧି ବଢ଼ିପାରେ। ତେବେ ବନ୍ୟା ଯୋଗୁଁ ନାମଲେଖା ଅବଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Tags: #+2 cutoff marks #plus two #higher secondary education

Comment