ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ହଟିବା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଧୂମଧାମରେ ହେବାକୁ ଯାଉଛି ଗଣେଶ ପୂଜା। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇସାରିଛି ପୂଜା ଆୟୋଜନ। ସ୍ୱତନ୍ତ୍ର ତଥା ଆକର୍ଷଣୀୟ ଢ଼ଙ୍ଗରେ ପୂଜା ମଣ୍ଡପ ତଥା ମୂର୍ତ୍ତି ପ୍ରସ୍ତୁତି ଲାଗିପଡ଼ିଛନ୍ତି।

ତେବେ ନୟାପଲ୍ଲୀ ନୂଆସାହିରେ ଚଳିତବର୍ଷ ପୂଜା ପାଇବାକୁ ଯାଉଛି ୫୦ ଉଚ୍ଚତା ବିଶିଷ୍ଟ ଗଣେଶ ମୃଣ୍ମୟୀ ମୂର୍ତ୍ତି। ଏଥିପାଇଁ ସ୍ଥାନୀୟ ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ଓଡ଼ିଶା, କଲିକତା ଓ ମୁମ୍ବାଇର କାରିଗରଙ୍କୁ ନିୟୋଜିତ କରାଯାଇଛି।

ଏହି ମୂର୍ତ୍ତିର ଅନ୍ୟ ଏକ ଆକର୍ଷଣ ହେଉଛି ଗଣେଶଙ୍କ ପାଖରେ ଭୋଗ ଲାଗି ହେବାକୁ ଥିବା ଲଡ଼ୁ। ୫୦ ଫୁଟ୍ ଉଚ୍ଚ ଗଣେଶଙ୍କ ପାଖରେ ୫୦କିଲୋଗ୍ରାମ ଲଡ଼ୁ ଭୋଗ କରାଯିବ। ତେବେ ମୂର୍ତ୍ତି ପ୍ରସ୍ତୁତି ରେ କୌଣସି ରାସାୟନିକ ରଙ୍ଗର ବ୍ୟବହାର କରାଯିବ ନାହିଁ। ୨ମାସ ପୂର୍ବରୁ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୂଜାସ୍ଥଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତିନୋଟି ଲାଇଟ ଗେଟ୍ ସହ ୬୦ ଫୁଟ୍ ଉଚ୍ଚର ସୁସଜ୍ଜିତ ତୋରଣ ପ୍ରସ୍ତୁତ କରାଯିବ।

ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ କରି ୧୧ଦିନ ଯାଏଁ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନାବଜାର ଅନୁଷ୍ଠିତ ହେବ। ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୋଟ ୧୨ଲକ୍ଷ ଟଙ୍କା ବ୍ୟୟ ସ୍ଥିର କରାଯାଇଛି।

ପୂଜାସ୍ଥଳକୁ ପ୍ରାୟ ୧୦ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଆୟାଜକ ଆଶା ରଖିଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୬ଟି ସିସି-ଟିଭି କ୍ୟାମରୋ ଲଗାଯିବା ସହ ୧୫୦ ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବା ସଂଗଠନର ଗଣମାଧ୍ୟମ ସଂଯୋଜକ ଦେବବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ସମସ୍ତ ଭକ୍ତଙ୍କ ପାଇଁ ବିଘ୍ନବିନାଶକଙ୍କ ପ୍ରସାଦର ମଧ୍ୟ ବନ୍ଦୋବସ୍ତ କରାଯାଇଥିବା ସେ କହିଛନ୍ତି।

୧୧ତାରିଖ ଲମ୍ବୋଦରଙ୍କ ଭସାଣୀ ଉସବ ଅନୁଷ୍ଠିତ ହେବ। ପାରମ୍ପରିକ ବାଦ୍ୟ ସହ ସାହି ପରିକ୍ରମା କରିବା ପରେ ମୂର୍ତ୍ତିକୁ ଜଳରେ ବିସର୍ଜନ କରାଯିବ।

Tags: #ganeshpuja2022 #nayapalliyouthclub #qakhandalmanisevasansad #50feetganeshidol #famousganeshpujainbhubaneswar

 

Comment