ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣେଶପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧’ ଆଧାରରେ କଟକଣା ଲଗାଯାଇଛି । କଟକଣା ଅନୁସାରେ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୨୦ ଫୁଟ ରହିବ। ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ। ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୂର୍ତ୍ତି ନିର୍ମାଣରେ ପୋଡା ମାଟି ତଥା ପ୍ଲାଷ୍ଟର ଅଫ୍ ପାରିସ୍ ବଦଳରେ ପ୍ରାକୃତିକ ମାଟି ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରାଯିବ । ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ। ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ। ବିସର୍ଜନର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀରୁ ସାମଗ୍ରୀ ବାହାର କରିବେ।

ପ୍ରସାଦ ବିତରଣ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ କିମ୍ବା ଥର୍ମୋକୁଲରେ ତିଆରି ଜିନିଷର ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ତେବେ ପ୍ରଦୂଷଣବୋର୍ଡର ଏହି ସମସ୍ତ ନିୟମ ଉଲ୍ଲଙ୍ଘନ କଲେ ୭ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡ଼ିବ।

ପଞ୍ଚାୟତ ସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର ଦେବାକୁ ପଡ଼ିବ। ସେହିପରି ମହାନଗର ନିଗମ ଅଞ୍ଚଳର ପୂଜା କମିଟି ଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ରାତି ପାହିଲେ ଗଣେଶ ପୂଜା। ରାଜ୍ୟ ପ୍ରଦୂଷଣ ବୋର୍ଡର ଏପରି ନିୟମାବଳୀକୁ ନେଇ ଚିନ୍ତା ବଢି ଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ୫୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଆକର୍ଷଣୀୟ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। କେତକ କମିଟି ପକ୍ଷରୁ କେବଳ ପ୍ରାକୃତିକ ମୃତ୍ତିକାର ବ୍ୟବହାର କରାଯାଇଥିବାବେଳେ ଅନ୍ୟ କମିଟି ପକ୍ଷରୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଏବଂ ଅନ୍ୟାନ୍ୟ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଛି।

Tags: #StatePolutionBoard #GaneshPuja200 #WaterResource #singleuseplastic #Waterpollution

Comment