ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵରଠାରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ”ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବ କି?” ଶୀର୍ଷକ ଉପରେ ଏହି କର୍ମଶାଳା ହୋଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ)ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର କହିଥିଲେ ଯେ, ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୋର୍ଡ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହିମାନଙ୍କ ଦ୍ଵାରା ବାୟୁ ପ୍ରଦୂଷଣ ରୋକି ହେବ।

ବାୟୁ ପ୍ରଦୂଷଣ ଦ୍ୱାରା ନନ-ଆଟେନମେଣ୍ଟ ସହରଗୁଡ଼ିକରେ ଜୀବନ ଓ ଜୀବିକାକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ମତ ରଖି ସାହିତ୍ୟିକ ତଥା ବାରିପଦା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର କହିଥିଲେ ଯେ ବାୟୁ ପ୍ରଦୂଷଣର ପ୍ରଭାବକୁ କେବେଳ ମଣିଷ କୈନ୍ଦ୍ରିକ ହୋଇ ଆକଳନ କରିବା ଉଚିତ ନୁହେଁ। ଏହା ସମସ୍ତ ଜୀବଜଗତର କାର୍ଯ୍ୟଦକ୍ଷତା ଓ ଜୀବନକୁ ପ୍ରଭାବିତ କରୁଛି।

ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ନିଜ ମତ ରଖି ଅନ୍ୟତମ ବକ୍ତା ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ ବାୟୁ ପ୍ରଦୂଷଣ ଦ୍ୱାରା ହେଉଥିବା ଶ୍ୱାସକ୍ରିୟା ସମ୍ପର୍କିତ ରୋଗଗୁଡ଼ିକ ଥରେ ଆରମ୍ଭ ହେଲେ ଆଉ କମେ ନାହିଁ। ବାୟୁ ପ୍ରଦୂଷଣ ଦ୍ୱାରା କି କି ରୋଗ ହେଇପାରେ ସେ ସମ୍ପର୍କରେ ସାଧାରଣ ଜନତା ବିଶେଷ ସଚେତନ ନୁହନ୍ତି। ତେଣୁ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି କଣ କରିପାରିବ ସେ ସମ୍ପର୍କରେ ନିଜ ମତ ରଖି ସୁବେଦାର ମେଜର ଗିରିଶ କୁମାର ଷଢଙ୍ଗୀ କହିଥିଲେ ଯେ ମହିଳାମାନେ ଏ କ୍ଷେତ୍ରରେ ଏକ ଗୁରୁ ଦାୟିତ୍ୱ ଗ୍ରହଣ କରିପାରିବେ। ପିଲାମାନଙ୍କ ସହ ସେମାନଙ୍କ ପରିବାରର ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି।

ଏହି ବିଷୟରେ ନିଜ ମତ ରଖି ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ବରିଷ୍ଠ ବିଶ୍ଳେଷକ ଜ୍ୟୋତି ରଞ୍ଜନ ନାୟକ କହିଥିଲେ “ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନଗୁଡ଼ିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।“

ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ  ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ଆୟୁ ତିନି ବର୍ଷ ବୃଦ୍ଧି ଘଟିପାରନ୍ତା। ଓଡ଼ିଶାରେ ବାଲେଶ୍ୱର ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ ବୋଲି ଏହି କର୍ମଶାଳାରେ କୁହାଯାଇଥିଲା।

ଏହି କର୍ମଶାଳାରେ ବାଲେଶ୍ୱରସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। କର୍ମଶାଳାର ଶେଷରେ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comment