ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ବନ୍ୟା ଚିନ୍ତା। ମହାନଦୀର ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ପରିବାରଙ୍କ ଦୁର୍ଦଶା ବଢ଼ିଥିବାବେଳେ ପୁଣି ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଲୋକଙ୍କ ନିଦ ହଜିଯାଇଛି। ଝାଡ଼ଖଣ୍ଡ ଗାଲୁଡ଼ିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ବିପଦ ମାଡ଼ି ଆସୁଛି। ପ୍ରତି ସେକେଣ୍ଡକୁ ୬ ଲକ୍ଷ ଘନଫୁଟ୍‌ର ଜଳ ପ୍ରବାହ ହେଉଥିବାରୁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍‌ରେ ସ୍ଥିତି ବିଗିଡ଼ିବାର ଆଶଙ୍କା କରାଯାଉଛି।

ମୟୂରଭଞ୍ଜର ୨ଟି ବ୍ଲକ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ସଙ୍ଗୀନ ହେବାର ନେଇ ଆଶଙ୍କା କରାଯାଉଛି। ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହା ଆହୁରି ବଢ଼ି ଆଜି ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ଭୋଗରାଇ ଏବଂ ବାଲିଆପାଳର କେତେକ ତଳିଆ ଅଞ୍ଚଳଗୁଡ଼ିକୁ ଜଳ ପ୍ରବେଶ କରିସାରିଛି। ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ମଧ୍ୟ ତାହା ଧୀରେ ଧୀରେ କମିବା ସହ ମୁଣ୍ଡଳୀରେ ମହାନଦୀର ଜଳସ୍ତର ହ୍ରାସ ପାଉଛି ବୋଲି ବିଜୟ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ସୋମବାର ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଥିବା ଏସଆରସି ସୂଚନା ଦେଇଛନ୍ତି। ଦୁଇ ଜିଲ୍ଲା ମୟୁରଭଞ୍ଜ ଏବଂ ବାଲେଶ୍ଵରକୁ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ସହ ମୋଟ ୪୦ଟି ଅପରେସନାଲ ଟିମ ମୁତୟନ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଏଆରସି କ୍ଷମତା ପ୍ରଦାନ କରାଯାଇଛି। ଏହା ସହିତ ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରୁ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବନ୍ୟା ପ୍ରଭାବିତ ୩୩୬ଟି ଗାଁର ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଦୁର୍ବଳ ନଦୀବନ୍ଧଗୁଡ଼ିକ ଉପରେ ସ୍ୱତନ୍ତ୍ର ଟିମ ନଜର ରଖିଛନ୍ତି।

ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଏହି ଅଧିକାରୀମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ସମୟରେ ତହସିଲଦାର, ବିଡିଓ ତଥା ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ। ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଞ୍ଚଳରେ ଥିବା ସ୍କୁଲଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Tags: #Flood #FloodSituation #FloodInOdisha

Comment