ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟପୁର ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗ୍ରାମର ଡୁମର ହରିଜନ(୬୦) କୀଟନାଶକ ଖାଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତିା କରାଯାଇଥିଲା। କିନ୍ତୁ ସୋମବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡୁମର ହରିଜନ ଚାଷବାସ କରି ପରିବାର ଚଳାନ୍ତି। ପ୍ରାୟ ୭୦ ହଜାର ଟଙ୍କା କରଜ କରି ସେ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଆଶା କରିଥିଲେ ଧାନ ଅମଳ କରିବା ପରେ କରଜ ଶୁଝିବେ ଆଉ ପରିବାର ପେଟକୁ ଦି’ମୁଠା ଖାଇବା ଯୋଗାଡ଼ କରିପାରିବେ। କିନ୍ତୁ ସବୁ ଆଶା ତାଙ୍କର ଚୁରମାର ହୋଇଯାଇଥିଲା। ଲଘୁଚାପ ବର୍ଷାରେ ଡୁମରଙ୍କ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଚାଷ ଜମି ନଷ୍ଟ ହେବା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଡୁମର। କେମିତି କରଜ ଶୁଝିବେ ଏବଂ ପରିବାର ଚଳାଇବେ ତାକୁ ନେଇ କିଛି ଦିନ ହେଲା ଚାପଗ୍ରସ୍ତ ରହୁଥିଲେ। ଗତ ରବିବାର ଦିନ ସେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପାରିବାର ଲୋକ କହିଛନ୍ତି।

ପୋଲିସ୍ ଏକ ଅପମୃତ୍ୟୁ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Tags: #Suicide #Death #Farmer #Koraput #Jaypure

Comment