ଓଡ଼ିଶାଲାଇଭ୍ ବ୍ୟରୋ

ନୟାଗଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବେବର୍ତ୍ତାପଲ୍ଲୀ ଗାଁର ବାପିନା ନାୟକ। ବୁଧବାର ସକାଳ ୭ଟା ୧୦ ମିନିଟରେ ବାପିନାଙ୍କୁ ନୂଆଗାଁ-ପୁରୀ ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବାରମ୍ବାର ଅଚେତ ହୋଇପଡ଼ୁଥିଲେ ବାପିନା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳ ୭ଟା ୧୦ରେ ନୟାଗଡ଼ ଷ୍ଟେସନଠାରୁ ପ୍ରାୟ ୨୦୦ ମିଟର ଦୂର ନୟାଗଡ଼-ଖଣ୍ଡପଡ଼ା ନିକଟ ଲେବଲକ୍ରସିଂ ଅତିକ୍ରମ କରିବା ସମୟରେ ଟ୍ରେନଟି ବାପିନାଙ୍କୁ ଧକ୍କା ଦେଇଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ ବାପିନାଙ୍କ କାନକୁ ଠିକ୍ ଭାବେ ଶୁଭୁ ନଥିଲା ଏବଂ ସେ ଠିକ୍ ଭାବେ କଥା ମଧ୍ୟ କହିପାରୁନଥିଲେ। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Tags: #Accident #TrainAccident #Death #Nayagarh

Comment