ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଶୁକ୍ରବାର ଦିନ ଏକ ବିଜ୍ଞପ୍ତିରେ ଦେଶର ବିଭିନ୍ନ ସ୍ଥାନରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ପ୍ରକାଶ କରିଛି। ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ରାଉରକେଲା ଶକ୍ତିନଗରସ୍ଥିତ ଅନ୍ନପୂର୍ଣ୍ଣା ଭବନରେ ପରିଚାଳିତ ‘ନବଭାରତ ଶିକ୍ଷା ପରିଷଦ’ ଏବଂ ମୟୁରଭଞ୍ଜର ବାରିପଦାସ୍ଥିତ ‘ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ ଟେକ୍ନୋଲୋଜି’ ରହିଛି।

ୟୁଜିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ‘ବିଶ୍ୱବିଦ୍ୟାଳୟ’ ଉଲ୍ଲେଖ କରିବା ଆଇନ ବିରୁଦ୍ଧ ଏବଂ କୌଣସି ଡ଼ିଗ୍ରୀ ପ୍ରଦାନ ପାଇଁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ମିଳିନଥିବା  ସ୍ପଷ୍ଟ କରାଯାଇଛି।

ବିଜ୍ଞପ୍ତି ଅନୁସାରେ ନୂଆଦିଲ୍ଲୀ ସମେତ ୯ ରାଜ୍ୟରେ ଏପରି ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ଦିଲ୍ଲୀରେ ସର୍ବାଧିକ ୮ଟି ଶିକ୍ଷାନୁଷ୍ଠାନ ରହିଛି ଯାହାର କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିନଥିବା ସତ୍ତ୍ୱେ ‘ବିଶ୍ୱବିଦ୍ୟାଳୟ’ ଶବ୍ଦ ବ୍ୟବହାର କରୁଥିବାବେଳେ ଅନୁମତି ନଥିବା କାର୍ଯ୍ୟକଳାପ ପ୍ରକାଶ ପାଉଛି। ଏହାପଛକୁ ଉତ୍ତରପ୍ରଦେଶରେ ଏପରି ୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି।

ପଶ୍ଚିମବଙ୍ଗରେ ଏପରି ୨ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ସେହିପରି ପଣ୍ଡିଚେରି, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ଏପରି ଶିକ୍ଷାନୁଷ୍ଠାନ ରହିଛି ଯେଉଁମାନେ ୟୁଜିସିର ଅନୁମତି ବିନା ‘ବିଶ୍ୱବିଦ୍ୟାଳୟ’ ଶବ୍ଦ ବ୍ୟବହାର କରୁଛନ୍ତି।

#UGC #fakeuniversity #Rourkela #baripada #navabharatsikshyaparishad #northodishauniversityofagricultureandtechnology

Comment