ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଅଗଷ୍ଟ ୧୭ ତାରିଖରୁ ୮ ଦିନ ଧରି ଚାଲିଥିବା ନ୍ୟାସନାଲ କ୍ୟାଡେଟ୍ କୋର (ଏନସିସି)ର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।

ଶିବିରରେ ଉଭୟ ଜୁନିୟର ଏବଂ ସିନିୟର ଡିଭିଜନର ବିଭିନ୍ନ ସ୍କୁଲ ଏବଂ କଲେଜ ପକ୍ଷରୁ ମୋଟ ୨୩୦ ଜଣ କ୍ୟାଡେଟ ଯୋଗ ଦେଇଥିଲେ। ୪ ଜଣ ଆସୋସିଏଟ ଏନସିସି ଅଫିସର ଏବଂ ୭ ଜଣ ଇନଷ୍ଟ୍ରକ୍ଟର ଯୋଗ ଦେଇ ବନ୍ଧୁକ ଚାଳନା, ଡ୍ରିଲ ଏବଂ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷଣ ଦେଇଥିଲେ।

କ୍ୟାଡେଟମାନେ ସେନାବାହିନୀର ବିଭିନ୍ନ ସାହାସିକତାର ଝଲକ ପାଇବା ସହ, ଫୁଟ୍ ଡ୍ରିଲ, ଓପନ ଡ୍ରିଲ, ଯୋଗ ଏବଂ ଫାୟାର ଫାଇଟିଂ ଭଳି ବିଭିନ୍ନ ପ୍ରଶିକ୍ଷଣ ନେଇଥିଲେ। ଶିବିରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉମେଶ ମାରୱାହା କମାଣ୍ଡାଣ୍ଟ ଥିବାବେଳେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଏସ ପି ଓତା ଡେପୁଟି କମାଣ୍ଡାଣ୍ଟ ଭାବେ ଶିବିର ପରିଚାଳନା କରିଥିଲେ।

ଉଦଯାପନୀ ସମାରୋହରେ କଟକ ଗ୍ରୁପ କମାଣ୍ଡାଣ୍ଟ କର୍ଣ୍ଣେଲ ରଜନୀଶ କପୁର କ୍ୟାଡେଟମାନଙ୍କୁ ଏନସିସିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଏହି ପ୍ରଶିକ୍ଷଣ କିଭଳି ସେନାବାହିନୀରେ ଯୋଗ ଦେବାରେ ସହାୟକ ହେବ ସେ ସମ୍ପର୍କରେ କହିଥିଲେ।

ଏହି ଅବସରରେ ଆଇଟିଇଆର ଡିନ୍ ପ୍ରଫେସର ପି. କେ. ସାହୁ ଯୋଗ ଦେଇ କ୍ୟାଡେଟମାନଙ୍କୁ ଏନସିସି କିପରି ଏକତା ଏବଂ ଅନୁଶାସନ କ୍ଷେତ୍ରରେ ସହାୟକ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଅବସରରେ ସୋଆ ଏବଂ ୪(ଓ) କଟକ ଏନସିସି ଓ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସୋଆର ଆସୋସିଏଟ୍ ଏନସିସି ଅଫିସର ଲେଫ୍ଟନାଣ୍ଟ ଡକ୍ଟର ସଚିଦାନନ୍ଦ ସାହୁ ଏବଂ ଡକ୍ଟର ସତୀଶ କୁମାର ସାମଲ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Tags: #Training #AnnualCamp #NCC #SOA #BloodDonation

Comment