ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ: କିଛିଦିନ ତଳେ ଓଡ଼ିଶା ବିଧାନସଭାରେ ରାଜସ୍ଵ ବିପର୍ଯ୍ୟୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଦେଓମାଳି କାହାର? ଏହାକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ ମନ୍ତ୍ରୀ। ପୁଣି ସେହିଭଳି କିଛି ବିଭ୍ରାନ୍ତିକର ତଥ୍ୟ ଉଲ୍ଲେଖ କରାଯାଇଛି ଦଶମ ଶ୍ରେଣୀ ଭୂଗୋଳ ବହିରେ। ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପଞ୍ଚମ ଅଧ୍ୟାୟ ଶକ୍ତି ସମ୍ବଳ ବିଷୟ ବସ୍ତୁରେ ଆନ୍ଧ୍ରପ୍ରଦେଶର ଜଳ ବିଦ୍ୟୁତ୍ ପ୍ରକଳ୍ପ ତାଲିକାରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ନାଁ ଉଲ୍ଲେଖ କରାଯାଇଛି। ଫଳରେ ୪ ବର୍ଷ ହେଲା ଭୁଲ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। ଯାହାକୁ ନେଇ ଏବେ ସାଧାରଣ ଜନତା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି।

୨୦୧୮ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିର ୬୯ ପୃଷ୍ଠାରେ ଦେଶର ବିଭିନ୍ନ ଜଳ ବିଦ୍ୟୁତ ପ୍ରକଳ୍ପର ତାଲିକା ରହିଛି। ତାଲିକାର ଶୀର୍ଷରେ ଆନ୍ଧ୍ରପ୍ରଦେଶର ନାଁ ରହିଛି ଏବଂ ଏହାର ପାର୍ଶ୍ଵରେ ପ୍ରଥମେ ମାଛକୁଣ୍ଡ ଉଲ୍ଲେଖ କରାଯାଇଛି। ଏହା ପରେ ଅନ୍ୟ ୪ଟି ଜଳ ପ୍ରକଳ୍ପର ନାଁ ଉଲ୍ଲେଖ କରାଯାଇଛି। ଏଭଳି ତ୍ରୁଟିକୁ ନେଇ ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି।

କୋରାପୁଟର ଗର୍ବ ଆଉ ଗୌରବ କୁହାଯାଉଥିବା ମାଛକୁଣ୍ଡ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦ୍ଵାରା ପରିଚାଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ଆନ୍ଧ୍ରର ବୋଲି ଦଶମ ଶ୍ରେଣୀ ଭୂଗୋଳ ବହିରେ ପ୍ରକାଶିତ କରିବାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଏଭଳି ଗୁରୁତର ତ୍ରୁଟି କିଭଳି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଏହି ପୁସ୍ତକର ପ୍ରଥମ ସଂସ୍କରଣ ୨୦୧୯ ମସିହାରେ ୩ ଲକ୍ଷ, ୨୦୨୦ ମସିହାରେ ୫ ଲକ୍ଷ ୬୦ ହଜାର ଓ ୨୦୨୧ ମସିହାରେ ୩ ଲକ୍ଷ ୫୦ ହଜାର ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି। ୪ ବର୍ଷ ହେଲା ଏବେ ଭୁଲ ପାଠପଢୁଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ସରକାର, ରାଜ୍ୟ ଶିକ୍ଷା ବିଭାଗ ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ସଂଶୋଧନ ଲାଗି ପଦକ୍ଷେପ ନେବାକୁ କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ଅନୁରୋଧ କରିଛନ୍ତି।

Tags: #Book #WrongInformation #MatricBook

Comment