ଓଡ଼ିଶାଲାଇଭ୍ ବ୍ୟୁରୋ

ଚିର ନିଦ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ। ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ ରାଜପ୍ରାସାଦରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଗୁରୁବାର ଦିନ ଅସୁସ୍ଥ ହୋଇପଡ଼ିଥିବା ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ପରିବାର ସଦସ୍ୟ ବ୍ରିଟେନରୁ ସ୍କଟଲାଣ୍ଡ ପହଞ୍ଚିବା ପରେ ରାଣୀଙ୍କୁ ମୃତ ଘୋଷଣା କରାଯାରାଇଥିଲା। ମଙ୍ଗଳବାର ଦିନ ରାଣୀ ଏଲିଜାବେଥ ଶେଷ ରାଜ କାର୍ଯ୍ୟ ପୂର୍ବକ ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ନିଯୁକ୍ତି ଦେଇଥିଲେ। ଅସୁସ୍ଥତା କାରଣରୁ ରାଣୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା।

ପିତାଙ୍କ ଦେହାନ୍ତ ପରେ ୧୯୫୨ ମସିହାରେ ଏଲିଜାବେଥ ଦ୍ଵିତୀୟଙ୍କୁ ମହାରାଣୀ କରାଯାଇଥିଲା। ୧୯୨୭ ମସିହା ଏପ୍ରିଲ ୨୧ ତାରିଖରେ ଏଲିଜାବେଥ ଦ୍ଵିତୀୟ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ସେ ବ୍ରିଟେନର ରାଜଗାଦିରେ ବସିଥିଲେ, ଏହି ମହାରାଣୀ ମୁକୁଟର ଅଧିକାରିଣୀ ହୋଇଥିଲେ। ସେ ଥିଲେ ବିଶ୍ଵର ଏକମାତ୍ର ମହିଳା ଯାହାଙ୍କର ବିଦେଶ ଗସ୍ତ ପାଇଁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ପଡ଼ୁନଥିଲା।

ବଡ଼ପୁଅ ଚାର୍ଲସ ସମ୍ଭାଳିବେ ବ୍ରିଟେନର ରାଜଗାଦି

ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଦେହାନ୍ତ ପରେ ରାଜଗାଦି ସମ୍ଭାଳିବେ ତାଙ୍କ ବଡ଼ ପୁଅ ଚାର୍ଲସ। ଚାର୍ଲସଙ୍କୁ ରାଜା କରାଯିବା ପରେ ସେ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡ ଆଦି ୧୫ଟି ଦେଶର ମୁଖ୍ୟ ହୋଇଛନ୍ତି। ରାଜ ପରିବାରର ନିୟମ ଅନୁସାରେ ଚାର୍ଲସଙ୍କୁ ଏଲିଜାବେଥଙ୍କ ମୃତ୍ୟୁର ସଂଗେ ସଂଗେ ରାଜା ଘୋଷଣା କରାଯାଇଥିଲା।

ଅଚଳାଚଳ ସମ୍ପତ୍ତିର ମାଲିକାଣୀ ଥିଲେ ମହାରାଣୀ ଏଲିଜାବେଥ ଦ୍ଵିତୀୟ

ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି। ଫର୍ଚ୍ୟୁନ ରିପୋର୍ଟ ଅନୁସାରେ ମହାରାଣୀଙ୍କର ସମ୍ପତ୍ତି ହେଉଛି ୫୦୦ ମିଲିୟନ ଡଲାର(୩୯,୮୫୮,୯୭୫,୦୦୦)। ଏହି ସମ୍ପତ୍ତିର ମାଲିକ ହେବେ ବଡ଼ ପୁଅ କିଙ୍ଗ ଚାର୍ଲସ। ବ୍ରିଟେନର ରାଜା ହେବା ପରେ ମହାରାଣୀ ଛାଡ଼ିଯାଇଥିବା ସମ୍ପତ୍ତିର ମାଲିକାନା କିଙ୍ଗ ଚାର୍ଲସଙ୍କ ହାତକୁ ଯାଇଛି।

ବ୍ରିଟେନର ରାଜକୋଷକୁ କରଦାତାଙ୍କ ପକ୍ଷରୁ ମୋଟା ଅଙ୍କର ଅର୍ଥ ଆସୁଛି। ଯାହା ସୋଭରିନ ଗ୍ରାଣ୍ଟ ଭାବେ ଜଣାଶୁଣା। ବାର୍ଷିକ ଆଧାରରେ ଏହା ରାଜକୋଷକୁ ଆସିଥାଏ। ଏହି ଗ୍ରାଣ୍ଟର ପ୍ରଚଳନ କିଙ୍ଗ ଜଜ ତୃତୀୟଙ୍କ ସମୟରୁ ଆରମ୍ଭ ହୋଇଥିଲା। ସେ ସଂସଦରେ ଏକ ଏଗ୍ରିମେଣ୍ଟ ପାସ୍ କରିଥିଲେ। ଏହା ଅନ୍ତର୍ଗତ ସେ ନିଜ ଲାଗି ଏବଂ ଭବିଷ୍ୟତ ପୀଡ଼ି ପାଇଁ ଫଣ୍ଡ ଜମା କରିବା ନିମନ୍ତେ ରାସ୍ତା ତିଆରି କରିଥିଲେ। ପୂର୍ବରୁ ଏହା ସିଭିଲ ଲିଷ୍ଟ ନାମରେ ପରିଚିତ ଥିଲା, କିନ୍ତୁ ପରେ ଏହାକୁ ୨୦୧୨ ମସିହାରେ ସୋଭରନେଟ ଗ୍ରାଣ୍ଟ ନାମରେ ରିପ୍ଲେସ କରାଯାଇଥିଲା।

୧୯୪୭ ମସିହା ନଭେମ୍ବର ମାସରେ ଏଲିଜାବେଥ ଦ୍ଵିତୀୟ ଗ୍ରୀସ ଓ ଡେନମାର୍କର ପୂର୍ବତନ ରାଜକୁମାର ଫିଲିପ ମାଉଣ୍ଟବ୍ୟାଟେନଙ୍କୁ ବିବାହ କରିଥିଲେ। ତାଙ୍କର ୪ଟି ସନ୍ତାନ। ସେମାନେ ହେଉଛନ୍ତି ପ୍ରିନ୍ସ ଚାର୍ଲସ, ରାଜକୁମାରୀ ଆନେ, ପ୍ରିନ୍ସ ଆଣ୍ଡ୍ର୍ୟୁ ଏବଂ ପ୍ରିନ୍ସ ଏଡଓ୍ଵାଡ।

ଏଲିଜାବେଥ ଦ୍ଵିତୀୟଙ୍କ ବିୟୋଗ ପରେ ବଡ଼ପୁଅ ଚାର୍ଲସ ବ୍ରିଟେନର ଉତ୍ତରାଧିକାରୀ ହୋଇଛନ୍ତି। ଏବେ ସେ ପ୍ରିନ୍ସ ଚାର୍ଲସ ବଦଳରେ କିଙ୍ଗ ଚାର୍ଲସ-୩ ଭାବେ ପରିଚିତ ହୋଇଛନ୍ତି। ବ୍ରିଟେନର ଶାସନ ଏବେ କିଙ୍କ ଚାର୍ଲସ-୩ଙ୍କ ନାମରେ ଚାଲିବ। ଆଗାମୀ ମାସକ ମଧ୍ୟରେ କିଙ୍ଗ ଚାର୍ଲସ-୩ଙ୍କର ରାଜାଭିଷେକ କରାଯିବ।

Tags: #QueenElizabeth #Swobiz #British #Kingdom #KingCharles

Comment