ଓଡ଼ିଶାଲାଇଭ୍ ବ୍ୟୁରୋ

ମଦୁଆ ଡ୍ରାଇଭରଙ୍କୁ ଜଗିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରଇଭ୍ ଆରମ୍ଭ କରାଯାଇଛି। ସାରା ରାଜ୍ୟରେ ଏହି ଡ୍ରାଇଭ୍ କାର୍ଯ୍ୟକାରୀ କରାଯାଇଛି। ୨୦୨୨ ସେପ୍ଟେମ୍ବର ୭ରୁ ୯ ତାରିଖ ମଧ୍ୟରେ ଯାଞ୍ଚ ବେଳେ ମଦ ପିଇ ସମୁଦାୟ ୫୯୯ ଜଣ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ମୋଟ ୩୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି ଏବଂ ୨୨୨ ଜଣଙ୍କୁ ଗିରଫ କରାଯାଇଛି।

ରାଜ୍ୟରେ ଲାଗୁ ହୋଇଥିବା କୋଭିଡ କଟକଣା ପ୍ରତ୍ୟାହାର ହେବା ପରେ ରାଜ୍ୟ ପରିବହନ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ଉଦ୍ୟମରେ ମଦ୍ୟପ ଚାଳକଙ୍କ ଯାଞ୍ଚ ନିମନ୍ତେ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଡ୍ରାଇଭ୍। ଏହି ଯାଞ୍ଚ ସମୟରେ ମଦ୍ୟ ପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୩୫୦ଟି ଅଟକା ଯାଇଥିଳା। ଯାଞ୍ଚ ପରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ୨୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହା ବ୍ୟତୀତ ମୋଟର ଯାନ ନିୟମ ଉଲ୍ଲଂଘନ ପାଇଁ ୧,୫୬୮ଟି ମାମଲା ରୁଜୁ ହୋଇଥିବାବେଳେ ୧,୫୩୨ଟି ଇ-ଚାଲାଣ ଜାରି କରାଯାଇଛି।

କଡ଼ା ନିୟମ ସତ୍ତ୍ୱେ ମଦ୍ୟ ପାନ କରି ଗାଡ଼ି ଚାଳନା ଯୋଗୁଁ ଭାରତରେ ସଡ଼କ ଦୁର୍ଘଟଣା ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।  ୨୦୨୧ ମସିହାରେ ମଦ୍ୟପାନ କରି ଗାଡ଼ି ଚଳାଇବା କାରଣରୁ ୨୪୬ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ମୋଟ ୭୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୧ ଜଣ ଆହତ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।

ମୋଟର ଯାନ ଅଧିନିୟମ ୧୯୮୮ର ସେପ୍ଟେମ୍ବର ୨୦୧୯ ସଂଶୋଧନରେ ଉଲ୍ଲେଖ କରାଯାଇଛି ଯେ, ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ମାମଲାରେ ପ୍ରଥମ ଥର ଅପରାଧୀମାନେ ଛଅ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ। ଏହା ସହିତ ଦ୍ୱିତୀୟ ଥର ଏହି ଅପରାଧ କଲେ ଦୁଇ ବର୍ଷ ଜେଲଦଣ୍ଡ କିମ୍ବା  ୧୫ ହଜାର ଟଙ୍କା ଜୋରିମାନା ଦଣ୍ଡ ଭୋଗିବାକୁ ପଡ଼ିବ।

Tags: #SafeDrive #Driving #SpecialDrive #TransportAuthority #Police

Comment