ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’। ସୋମବାର ଚାମ୍ପିୟନସିପ୍‌ର ଲିଗ୍ ମ୍ୟାଚରେ କେନ୍ଦ୍ରାପଡ଼ା ଟିମ୍‌କୁ ୬-୦ ଗୋଲ୍‌ରେ ହରାଇ ସୁନ୍ଦରଗଡ଼ ଟିମ୍ ବିଜୟ ଲାଭ କରିଛି। ଏଥିସହ ଦ୍ଵିତୀୟ ସୋପାନରେ ସୁନ୍ଦରଗଡ଼ ଟିମ୍ ନିଜର ସ୍ଥାନ ପକ୍କା କରିଛି।

ସୋମବାର ସକାଳ ୧୦ଟା ସମୟରେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଖେଳର ପ୍ରଥମ କ୍ଵାର୍ଟରରେ ସୁନ୍ଦରଗଡ଼ ଟିମ୍ କେନ୍ଦ୍ରାପଡ଼ା ଟିମ୍‌ଠାରୁ ୨-୦ ଗୋଲରେ ଆଗୁଆ ରହିଥିଲା। ସେହିପରି ଦ୍ଵିତୀୟ କ୍ଵାର୍ଟରରେ ସୁନ୍ଦରଗଡ଼ ପକ୍ଷରୁ ତୃତୀୟ ଗୋଲ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସୁନ୍ଦରଗଡ଼ ଟିମ୍ ୩-୦ ଗୋଲରେ ଆଗୁଆ ରହିଥିଲା ବେଳେ ତୃତୀୟ କ୍ଵାର୍ଟରରେ ଟିମ୍ ପକ୍ଷରୁ ଆଉ ୨ଟି ଗୋଲ ହୋଇଥିଲା। ଖେଳର ଶେଷ କ୍ଵାର୍ଟରରେ କେନ୍ଦ୍ରାପଡ଼ା ବିପକ୍ଷରେ ଷଷ୍ଠ ଗୋଲ ଦେଇ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ସୁନ୍ଦରଗଡ଼ ଟିମ୍।

“ସିନିୟର ମେନ୍ ହକି ଚାମ୍ପିୟନସିପ୍ସରେ କେନ୍ଦ୍ରାପଡ଼ା ହକି ଟିମ୍‌କୁ ଆମେ ୬-୦ ଗୋଲ୍‌ରେ ହରାଇ ଆଗାମୀ ସୋପାନ ପାଇଁ ମନୋନୀତ ହୋଇଛୁ। ଏଥିପାଇଁ ଆମେ ବହୁତ ଖୁସି। ବିଶେଷକରି ଆମ ଟିମ୍‌ର ଫରଓ୍ଵାର୍ଡ ଏବଂ ମିଡ୍ ଡିଫେଣ୍ଡରମାନଙ୍କ ଭଲ ପ୍ରଦର୍ଶନ ଆମକୁ ଏହି ମ୍ୟାଚ୍‌ରେ ବିଜୟୀ କରିପାରିଛି। ଆଗାମୀ ମ୍ୟାଚ୍‌ରେ ବି ଆହୁରି ଭଲ ପ୍ରଦର୍ଶନ କରି ଆମେ ବିଜୟୀ ହେବାକୁ ଆଶା ରଖିଛୁ”, କହିଛନ୍ତି ସୁନ୍ଦରଗଡ଼ ହକି ଟିମ୍‌ର ଅଧିନାୟକ ବିଜୁ ଏକ୍କା।ଚାମ୍ପିୟନସିପ୍‌ର ଏହି ମ୍ୟାଚ୍‌ରେ ବିଜୟ ହାସଲ କରିବା ଲାଗି ସୁନ୍ଦରଗଡ଼ ଦଳର ଅଧିନାୟକ ବିଜୁ ଏକ୍କା ଏକ ରଣନୀତି ପ୍ରସ୍ତୁତ କରିଥିଲେ। ବିପକ୍ଷ ଦଳର ଖେଳାଳିମାନଙ୍କୁ ସବୁ ଦିଗରୁ ଘେରି ତାଙ୍କୁ ଗୋଲପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଇ ନଥିଲେ। ଫଳରେ କେନ୍ଦ୍ରାପଡ଼ା ଟିମ୍ ସୁନ୍ଦରଗଡ଼ ବିପକ୍ଷରେ ଗୋଟିଏ ବି ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ।

“କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ ଉଭୟ ଦଳର ପ୍ରଦର୍ଶନ ଭଲ ଥିଲା। ମାତ୍ର ଆମ ଦଳର ଖେଳାଳିମାନେ ଟର୍ଫରେ ବେଶ୍ ଆକ୍ଟିଭ୍ ରହିଥିଲେ। ଖେଳର ପ୍ରତିଟି ମୂହୁର୍ତ୍ତରେ କିପରି ଗୋଲ୍ କରାଯାଇପାରିବ ସେଥିପ୍ରତି ସୁଯୋଗ ସୃଷ୍ଟି କରିଥିଲେ। ଫଳରେ ଏକପାକ୍ଷିଆ ଭାବେ ଆମେ ମ୍ୟାଚ୍‌କୁ ନିଜ ଆଡ଼କୁ କରିବାରେ ସଫଳ ହେଲୁ। ଏହି ଚାମ୍ପିୟନସିପ୍‌ରେ ଆମ ଖେଳାଳିମାନେ ଯଦି ଏଭଳି ପ୍ରଦର୍ଶନ ଜାରି ରଖିବେ, ତେବେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ସିନିୟର ହକି ଟିମ୍ ପାଇଁ ସେମାନେ ମନୋନୀତ ହେବାର ସମ୍ଭାବନା ଅଧିକ”, କହିଛନ୍ତି ସୁନ୍ଦରଗଡ଼ ହକି ଆସୋସିଏସନର ପ୍ରଶିକ୍ଷକ ସୁଶିଲ କିରୋ।ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଚାଲିଥିବା ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲା ଏବଂ ଏକାଡେମି ଦଳକୁ ମିଶାଇ ମୋଟ୍ ୩୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ।

Tags: #HAOSeniorMenHockeyChampionships2022 #HockeyAssociationofOdisha #HockeyOdisha #Sundargarh #Hockey #Kendrapara

Comment