ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ସୋମବାର ବିଳମ୍ବିତ ରାତିରେ ତେଲେଙ୍ଗାନାର ସିକନ୍ଦରାବାଦ ସହର ମାର୍କେଟ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ବାଇକ୍ ସୋ’ ରୁମରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି ଓ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ଚେନ୍ନାଇ, ନୂଆଦିଲ୍ଲୀ, କୋଲକାତା ଏବଂ ବିଜୟୱାଡାର ହୋଇଥିବା ଜଣାପଡ଼ିଛି। ଏହି ଖବର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସିକନ୍ଦରାବାଦର ମାର୍କେଟ ପୋଲିସ ଷ୍ଟେସନ ନିକଟରେ ଏକ ଇଲେକ୍ଟ୍ରିକ ବାଇକ୍ ସୋ’ରୁମ ଥିଲା। ସୋ’ରୁମଟି ତଳ ମହଲାରେ ରହିଥିବାବେଳେ ଏହା ଉପରେ ୪ ମହଲା ବିଶିଷ୍ଟ ହୋଟେଲ୍ ରହିଥିଲା। ସୋମବାର ବିଳମ୍ବିତ ରାତିରେ ସୋ’ରୁମରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ହୋଟେଲକୁ ମଧ୍ୟ ବ୍ୟାପିଥିଲା। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ପ୍ରାୟ ୨୫ ଜଣ ରହିଥିଲେ। ହୋଟେଲ ଭିତରୁ ବାହାରକୁ ବାହାରିବା ପାଇଁ ଗୋଟିଏ ବାଟ ରହିଥିବାରୁ ସମସ୍ତେ ହୋଟେଲ ଭିତରେ ଫସି ରହିଥିଲେ। ଏମାନଙ୍କ ମଧ୍ୟରୁ ୧୫ ଜଣ ହୋଟେଲ ଭିତରୁ ବାହାରକୁ ବାହାରିବାକୁ ସକ୍ଷମ ହୋଇଥିବାବେଳେ ଦୁଇଜଣ ଝରକା ବାଟଦେଇ ତଳକୁ ଡେଇଁପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ ଅନ୍ୟ ୬ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ସମୟରେ ଫସି ରହିଥିବା ୮ ଜଣଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁଁ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ରାତିରେ ତେଲେଙ୍ଗାନା ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବ ଏବଂ ଗୃହମନ୍ତ୍ରୀ ଏମ ମହମୁଦ ଅଲି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ବିଲ୍ଡିଂ ମାଲିକ ବିରୋଧରେ ମାଲିକ  ରାଜେନ୍ଦ୍ର ସିଂ ବାଗଗା ଏବଂ ତାଙ୍କର ଦୁଇ ପୁଅଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ୍ କହିଛି। ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମରେ ଥିବା ୪୦ରୁ ଅଧିକ ଇଲେକ୍ଟ୍ରିକ ବାଇକ୍ ନଷ୍ଟ ହୋଇଯାଇଛି। ଘଟଣାର ତଦନ୍ତ କରାଯିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଏମ ମହମ୍ମୁଦ ଅଲ୍ଲି କହିଛନ୍ତି।

Tags: #Fire #Vishakhapatnam #ElectricBikeShowRoom #MassiveFire #Death #MMahammadAli

Comment