ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲି ପିଲାମାନେ ପାଠପଢ଼ାରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ତେବେ ଅଧିକ ସମୟ ଧରି ଅନଲାଇନ୍ ରହିବା ଦ୍ଵାରା ସାଇବର ଠକେଇର ଭୟ ରହିଥାଏ। ତେଣୁ ଇଣଣ୍ଟରନେଟ୍ ବ୍ୟବହାର କରିବା ଦିଗରେ ପିଲାମାନେ ଓ ଅଭିଭାବକ କେଉଁ ଦିଗ ପ୍ରତି ସତର୍କ ରହିବା ଉଚିତ, ସେନେଇ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କିଛି ଟିପ୍ସ ଦେଇଛନ୍ତି।

“ପିଲାମାନେ ବ୍ୟବହାର କରୁଥିବା ମୋବାଇଲ୍ ଫୋନରେ ବ୍ୟାଙ୍କର କୌଣସି ତଥ୍ୟ ନରଖିବା ଉଚିତ୍। ୟୁପିଆଇ (ଫୋନ୍ ପେ, ଗୁଗୁଲ ପେ,ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼) ଆଦି ତଥ୍ୟ ମୋବାଇଲରେ ରହିବା ଫଳରେ ପିଲାମାନେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ବ୍ୟାଙ୍କ ତଥ୍ୟ ପ୍ରବେଶ କରିବାର ସମ୍ଭାବନା ରହିଥାଏ। ଏହାଦ୍ଵାରା ଆପେ ଆପେ ବିଲ୍ ଆସୁଥିଲେ ମଧ୍ୟ ଓଟିପି ଆସି ନଥାଏ ଓ ଏ ବିଷୟରେ ଜଣାପଡ଼ିନଥାଏ”, କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, “ସବୁବେଳେ ଫେସବୁକ୍, ଜି-ମେଲ୍ ଓ  ହ୍ଵାଟ୍ସଆପ ଆଦି ସୋସିଆଲ ମିଡିଆ ଆକାଉଣ୍ଟରେ ‘ଟୁ-ଷ୍ଟେପ୍ ଭେରିଫିକେସନ୍’ ଅନ୍ ରଖନ୍ତୁ। ଏହାଦ୍ଵାରା ହ୍ୟାକିଂ ଆଶଙ୍କା କମ୍ ହୋଇଥାଏ। ଯେତେସବୁ  ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ସବୁଗୁଡ଼ିକର ପାସୱାର୍ଡ ଅଲଗା ଅଲଗା ରଖିବା ଉଚିତ୍। ପବ୍ଲିକ୍ ୱାଇଫାଇ ବ୍ୟବହାର ପରିବର୍ତ୍ତେ ନିଜ ଡାଟାପ୍ଲାନ୍ ହିଁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।”

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବାନୁସାରେ, କୌଣସି ୟୁଏସବି ପୋର୍ଟରେ ଚାର୍ଜିଂ କରିବା ଉଚିତ୍ ନୁହେଁ। ପାସୱାର୍ଡଗୁଡ଼ିକ ବ୍ରାଉଜରରେ ସେଭ୍ କରିବା ପରିବର୍ତ୍ତେ ଏହାକୁ ପାସୱାର୍ଡ ମ୍ୟାନେଜରରେ ରଖନ୍ତୁ କିମ୍ବା ଟିପି ରଖିବା ଦରକାର। ପିଲାମାନେ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ ନିଜର ଫଟୋ କିମ୍ବା ନାମ ନଦେବା ଉଚିତ୍। ‘ସ୍କ୍ରିନନେମ୍’ ଦେଉଥିଲେ କିଛି ଅଲଗା ନାମ ଦିଅନ୍ତୁ। ଯେପରି ପ୍ରଥମ ନାମ କିମ୍ବା ଶେଷ ନାମ ଜଣା ପଡ଼ିବ ନାହିଁ।

ପିଲାମାନଙ୍କ ମୋବାଇଲ ବ୍ୟବହାର ପ୍ରତି ଅଭିଭାବକ ଧ୍ୟାନ ଦେବା ଉଚିତ୍। ଯେପରି କୌଣସି ଗେମ୍ କି୍ମ୍ବା ଆପ୍ ବ୍ୟବହାରରେ ପିଲାମାନେ ଅଭ୍ୟସ୍ତ ହୋଇ ନ ଯାଆନ୍ତି। ନଚେତ୍ ପିଲାମାନେ ଯଦି ଏଥିରେ ଅଭ୍ୟସ୍ତ ହୋଇପଡ଼ନ୍ତି ତେବେ ପିଲାମାନଙ୍କୁ ଏଥିରୁ ନିବୃତ କରିବା କଷ୍ଟକର ହୋଇପଡ଼ିଥାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ସାଇବର ଠକେଇର ଆଶଙ୍କା ସୃଷ୍ଟି ହୁଏ।

Tags: #CyberCrime #CyberFraud #InternetUses #Dataleak #CyberExpertPrashantSahoo #Phonepay #GooglePay

Comment