ଓଡ଼ିଶାଲାଇଭ ବ୍ୟୁରୋ

ଡେବିଟ୍‌ କାର୍ଡ ମାଧ୍ୟମରେ ଅନଲାଇନ ସପିଂ କରୁଥୁଲେ ହୋଇଯାଆନ୍ତୁ ସାବଧାନ। ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ।

ସାରା ଦେଶରେ ଏବେ ଲୋକେ ଅନଲାଇନ ବା ଡିଜିଟାଲ୍ ସେବା ଆଡ଼କୁ ଆକୃଷ୍ଟ ହେବାରେ ଲାଗିଛନ୍ତି। ବିଶେଷ କରି ଯୁବପିଢ଼ି ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟାକୁ ବେଶ୍ ପସନ୍ଦ କରୁଛନ୍ତି। ସେହିପରି ଆମଜନ୍, ଫ୍ଲିପକାର୍ଟ ଭଳି ବହୁ ନାମିଦାମୀ କମ୍ପାନୀ ନିଜ ୱେବସାଇଟ ମାଧ୍ୟମରେ ଜିନିଷପତ୍ର ବିକିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହିପରି ଯଦି ଆପଣ ଅନଲାଇନ ପେମେଣ୍ଟ କରଛନ୍ତି ତେବେ ସାବଧାନତା ଅବଲମ୍ଵନ କରନ୍ତୁ।

ବର୍ତ୍ତମାନ ଅନଲାଇନ ପେମେଣ୍ଟ ସେବାର ଚାହିଦା ଦିନକୁ ଦିନ ଅଧିକରୁ ଅଧିକ ବଢ଼ିବାରେ ଲାଗିଛି। ୨୦୧୬-୧୭ ମସିହାର ତଥ୍ୟ ଅନୁସାରେ ପ୍ରାୟ ୧.୫ ମିଲିୟନ ଲୋକେ ଏହି ଡିଜିଟାଲ୍ ସେବା ସହ ଯୋଡ଼ି ହୋଇ ରହିଥିଲେ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢ଼ି ୧୦ ମିଲିୟନ୍ ରେ ପହଞ୍ଚିଲାଣି। ବିଶେଷ କରି ନୋଟବନ୍ଦୀ ପରେ ପରେ ଏହି ଅନଲାଇନ ସେବାର ପ୍ରଚଳନ ବହୁଳ ଭାବେ ଦେଖିବାକୁ ମିଳିଥିଲା।

କିନ୍ତୁ ଏହି ଅନଲାଇନ୍ ପେମେଣ୍ଟ ସୁବିଧାଟି ଆପଣଙ୍କୁ କେତେ ଅସୁବିଧାରେ ପକାଇପାରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଆପଣଙ୍କ ଅଗୋଚରରେ ଅନେକ ଠକ(ହ୍ୟାକର୍ସ) ଆପଣଙ୍କ ଟଙ୍କା ଉପରେ ନଜର ପକାଇ ବସିଛନ୍ତି। ତେଣୁ ଅନଲାଇନ ମାଧ୍ୟମରେ ଟଙ୍କା ନେଣଦେଣ ପୂର୍ବରୁ ଆପଣଙ୍କୁ ଅନେକଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହେବ।

ଆସନ୍ତୁ ଜାଣିବା କେମିତି ଆପଣ ନିଜ ଟଙ୍କାକୁ ଏହି ହ୍ୟାକର ମାନଙ୍କ ଠାରୁ ସୁରକ୍ଷିତ ରଖିବେ :

ଆପଣ ଦେଖିଥିବେ ଆପଣଙ୍କ ଏଟିଏମ କାର୍ଡର ପଛ ପାଖରେ ତିନି ଅଙ୍କ ବିଶିଷ୍ଟ ଏକ ନମ୍ବର ଦିଆଯାଇଥାଏ। ତାହା ହେଉଛି ସିଭିଭି ଅର୍ଥାତ୍ କାର୍ଡ ଭେରିଫିକେସନ ଭାଲ୍ୟୁ। ଏହି ତିନି ଅଙ୍କ ବିଶିଷ୍ଟ ସିଭିଭି ନମ୍ବର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ କୌଣସି  ଜିନିଷ କିଣିବା ପାଇଁ ଆପଣଙ୍କୁ କାର୍ଡ଼ ବିବରଣୀ ସହିତ ଏହି ସିଭିଭି ନମ୍ବର ଦେବାକୁ ପଡିଥାଏ। ତା’ ପରେ ଯାଇ ଆପଣଙ୍କ ପେମେଣ୍ଟ ସଫଳ ହେବ। ତେଣୁ ଜଣେ କାର୍ଡ ଧାରକ ଏଥିପ୍ରତି ନିହାତି ଦୃଷ୍ଟି ଦେବା ଆବଶ୍ୟକ। ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଚାହୁଛନ୍ତି ତେବେ କୌଣସି ବି ପରିସ୍ଥିତିରେ ଆପଣ ଏହି ସିଭିଭି ନମ୍ବରକୁ କାହା ସହିତ ସେୟାର କରନ୍ତୁ ନାହିଁ।

ଅନଲାଇନ ସପିଙ୍ଗ୍ ୱେବସାଇଟ ଗୁଡ଼ିକରେ ପେମେଣ୍ଟ କରିବା ପାଇଁ କମ୍ପାନୀ କାର୍ଡ଼ ସେଭ୍ କରିବାର ବିକଳ୍ପ ବ୍ୟବସ୍ଥା ଦେଇଛି। ଆପଣ ଏଥିରେ ଆପଣଙ୍କ କାର୍ଡ ସେଭ କଲେ ପୁନର୍ବାର ପେମେଣ୍ଟ କରିବା ସମୟରେ ଆଉ ବିଶେଷ ଅସୁବିଧା ହୁଏନାହିଁ। ଆପଣ ଜାଣନ୍ତି କି ସୁବିଧା ପାଇଁ କରାଯାଇଥିବା ଏହି ବ୍ୟବସ୍ଥା ଆପଣଙ୍କୁ ବେଶୀ ଅସୁବିଧାରେ ପକାଇପାରେ। ଯଦି ଆପଣ ଏଭଳି ଭୁଲ୍ କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏହିଭଳି ସେଭ୍ କାର୍ଡରୁ ଟଙ୍କା ଠକେଇ କରିବା ପାଇଁ ହ୍ୟାକର୍ସମାନଙ୍କୁ ବେଶୀ ସୁବିଧା ହୁଏ। ଆଉ ତା’ ପରେ ଆପଣଙ୍କ ଆକାଉଣ୍ଟରୁ ସବୁତକ ଟଙ୍କା ତାଙ୍କ ପାଖକୁ ଚାଲିଯାଏ।

ଅନଲାଇନ ପେମେଣ୍ଟ କଲା ବେଳେ ଆପଣଙ୍କ ପାଖେ ସାଧାରଣତଃ ଦୁଇଟି ବିକଳ୍ପ ଥାଏ। ଗୋଟିଏ ହେଉଛି କାର୍ଡ ମାଧ୍ୟମରେ ପେମେଣ୍ଟ ବ୍ୟବସ୍ଥା ଏବଂ ଆଉ ଗୋଟିଏ ହେଉଛି ଓଟିପି ମାଧ୍ୟମରେ ପେମେଣ୍ଟ। ତେଣୁ ଉଭୟ ବିକଳ୍ପ ଜରିଆରେ ଆମେ ଜିନିଷପତ୍ର କିଣି ପାରିବା। କିନ୍ତୁ ଓଟିପି ବା ୱାନ୍ ଟାଇମ୍ ପାସୱାର୍ଡ ବ୍ୟବହାରରେ କରାଯାଉଥିବା ପେମେଣ୍ଟ, କାର୍ଡ ପେମେଣ୍ଟଠାରୁ ବେଶୀ ସୁରକ୍ଷିତ ଅଟେ। ଏହାର କାରଣ ଓଟିପି ଦ୍ୱାରା ପେମେଣ୍ଟ କରିବା ସମୟରେ ଆପଣଙ୍କ ପଞ୍ଜିକୃତ ନମ୍ବରକୁ ଏକ କୋର୍ଡ ଆସିଥାଏ। ଯାହାକୁ କେବଳ ଆପଣ ଦେଖି ପାରିବେ। ଏହି ଓଟିପି ନମ୍ବରଟି ଦେବା ପରେ ଯାଇ ଆପଣଙ୍କ ପେମେଣ୍ଟ ସଫଳ ହୋଇଥାଏ ।

ତା’ ଛଡ଼ା ଏହି ଓଟିପି ମାତ୍ର କିଛି ସମୟ ପାଇଁ ବୈଧ ଅଟେ। ତେଣୁ ଏହା ଆପଣଙ୍କୁ ହ୍ୟାକର୍ସମାନଙ୍କଠାରୁ ସୁରକ୍ଷା ପ୍ରଦାନ କରେ। ତେଣୁ ଯଦି ଆପଣ ଅନଲାଇନ ଜିନିଷ କିଣୁଛନ୍ତି ତେବେ ଓଟିପି ମାଧ୍ୟମରେ ପେମେଣ୍ଟ କଲେ ଜିନିଷ ପାଇବା ସହିତ ନିଜ ଟଙ୍କାକୁ ମଧ୍ୟ ସୁରକ୍ଷିତ ରଖି ପାରିବେ।

Comment