ଓଡ଼ିଶାଲାଇଲ୍ ବ୍ୟୁରେ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ଦାବିରେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ମିଳିତ ସଂଗଠନ ପକ୍ଷରୁ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନଠାରେ ରେଳରୋକ ଆନ୍ଦୋଳନ କରାଯାଇଛି। ସର୍ବଭାରତୀୟ କୁଡୁମି ସମାଜ ଆହ୍ଵାନ କ୍ରମେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଆନ୍ଦୋଳନ କରାଯାଇଛି।

ରାଜ୍ୟରେ ଏହି ରେଳରୋକ ଆନ୍ଦୋଳନ କରାଯିବା ନେଇ ସମାଜ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା କୁଡୁମି ସମ୍ପ୍ରଦାୟଙ୍କ ଏହି ରେଳରୋକ ଆନ୍ଦୋଳନ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା।

ସୂଚନା ଅନୁସାରେ କୁଡୁମି ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ ତାରିଖରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। ପରେ କୁଡୁମି ଜାତିକୁ ପୁନର୍ବାର ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ତାହା ପୂରଣ ହେଉନାହିଁ। ତେଣୁ କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ କରିବା ଦାବିରେ ଆଜି କୁଡୁମି ସମ୍ପ୍ରଦାୟର ଶତାଧିକ ପୁରୁଷ, ମହିଳାଙ୍କ ସମେତ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ବାଙ୍ଗିରିପୋଷି- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନକୁ ଭଞ୍ଜପୁର ରେଳ ଷ୍ଟେସନଠାରେ ଅଟକାଇ ଥିଲେ।

Tags: #Mayurbhanj #KudumiCommunity #RailwayStrike

Comment