ଓଡ଼ିଶାଲାଇଭ୍ ବ୍ୟୁରୋ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ତୁହି ଭିରୁ!
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ? (୧)
ତୋ ପୂର୍ବ ପୁରୁଷେ ବୀର ପଣିଆରେ
ଲଭିଥିଲେ କେତେ ଖ୍ୟାତି
ହାକିମ ନିକଟେ ଦୁଃଖ କହିବାକୁ
କିମ୍ପା ଥରେ ତୋର ଛାତି (୨)
ତୋ ପୂର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ତାଙ୍କର ଔରସେ ଜନ୍ମ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି? (୩)
ବ୍ରିଟନ ନିବାସୀ ଅତୀବ ସାହସୀ
କାପୁରୁଷେ ଶ୍ରଦ୍ଧା ନାହିଁ
ଶିଖ-ରାଜପୁତ ଯେ ମାନ୍ୟ ଲଭନ୍ତି
ତୋର ଭାଗ୍ୟେ ତାହା କାହିଁ? (୪)
ତୁ ମନେ ଭାବିଛୁ ତୋଷାମଦ କରି
ବଢ଼ାଇବୁ ଜାତି ମାନ
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ । (୫)
ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି
ସହଜେ ଚିହ୍ନା ନଯାଏ
ଭୃତ୍ୟ ଭାବ ଧରି ଗୋଡ଼ ଚାଟୁ ଚାଟୁ
ବିଷ ଲେପି ଦେଇଥାଏ (୬)
ତୋଷାମଦ ଅଟେ ଅନ୍ଧାର ଗୋହିରି
ସ୍ୱାର୍ଥ ତହିଁ ଲୁଚି ବସେ
ସରଳ ପଥିକ ବାଟରେ ଭେଟିଲେ
ଅକାତରେ ତାକୁ ନାଶେ । (୭)
ଜାତିର ଉନ୍ନତି ହେବ କିରେ ଭାଇ
ସ୍ୱାର୍ଥକୁ ଜଗତ ମଣିଚ
ଗୋଦର ଗୋଡ଼ରେ ମାଉଁସ ଲାଗିଲେ
 ଦେହର କି ଶୁଭ ଗଣି? (୮)
ଜାତିର ଉନ୍ନତି ସେ କାହିଁ କରିବ
ସ୍ୱାର୍ଥେ ଯା’ର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ? (୯)
ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ? (୧୦)
ସ୍ୱାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟା ତାଙ୍କ ପୁତ୍ର
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର । (୧୧)
ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହସ
ପଡ଼ିବକି କେବେ ମନେ? (୧୨)
ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ
ଜନ ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ । (୧୩)
ତୋ ପୂର୍ବ ପୁରୁଷ ସ୍ୱର୍ଗ ଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ
ତାଙ୍କର ଜୀବନ କରି ବିସ୍ମରଣ
କରୁଛୁ ତୁ ମହାପାପ ! (୧୪)
ତୋଷାମଦ ଛାଡ଼ିସ୍ୱାର୍ଥ ପରିହରି
ସତ୍ୟକୁ ଆଶ୍ରୟ କର
ଦୁଇ ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ
ମଙ୍ଗଳ ହୋଇବ ତୋର! (୧୫)

Tags: #UtkalSantan #UtkalGourav #MadhusudanDas #Poetry #UtkalGouravMadhusudanDas

Comment