ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ସୁପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିନ ଦେହାନ୍ତ ହୋଇଛି। ସେ ଗତ ଅଗଷ୍ଟ ମାସରୁ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପରେ ପରିବାର, ବନ୍ଧୁ ବାନ୍ଧବ ଏବଂ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି।

ଗତ ଅଗଷ୍ଟ ମାସ ୧୦ ତାରିଖରେ ଜିମରେ ୱାର୍କଆଉଟ କରୁଥିବା ସମୟରେ ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତୁରନ୍ତ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୧୫ ଦିନ ଚିକିତ୍ସିତ ହେବା ପରେ ଗତ ଅଗଷ୍ଟ ୨୫ ତାରିଖରେ ତାଙ୍କର ଚେତା ଫେରିଥିଲା। ଏହା ପରେ ସେ ସୁସ୍ଥ ହୋଇ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ ଆଶା ଆଜି ସବୁଦିନ ପାଇଁ ମଉଳି ଯାଇଛି। ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଦୁଃଖିତ କରି ଦେଇଛି।

ଦିନେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ ରାଜୁ ଶ୍ରୀବାସ୍ତବ ଆଜି ପ୍ରଶଂସକମାନଙ୍କ ଆଖିରେ ଲୁହ ଭରି ଦେଇଛନ୍ତି। ତାଙ୍କ ବିୟୋଗ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି। ତାଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ଦିନେ ସେ ଷ୍ଟାଣ୍ଡ ଅପ୍ କମେଡିଆନରୁ ନିଜର ପରିଚୟ ସୃଷ୍ଟି କରି ଦର୍ଶକଙ୍କ ମନ କିଣିଥିଲେ।

Tags: #Comedian #Rajushrivastav #Death #TV #BollywoodIndustry

LEAVE A REPLY

Please enter your comment!
Please enter your name here