ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଏଠାରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଖୋଲିବ କର୍କଟ ରୋଗ ନିରୂପଣ ଓ ଚାକିତ୍ସା କେନ୍ଦ୍ର।

ଏହି କେନ୍ଦ୍ର ଖୋଲାଯିବା ପରେ ମୟୂରଭଞ୍ଜ ଜିଲ୍ଲାର କର୍କଟ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି। ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଟାଟା ମେମୋରିଆଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୁଭର୍ଣ୍ଣା କର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କନସଲଟାଣ୍ଟ ଲଳିତ ମୋହନ ସାହୁ ଉଭୟ ବାରିପଦା ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କର୍ତୃପକ୍ଷଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଡକ୍ଟର ପ୍ରତିଭା ପଣ୍ଡା ଏବଂ ଉଭୟ ହସ୍ପିଟାଲ ମ୍ୟାନେଜର ସମୀର ମହାପାତ୍ର‌ ଓ ବିନୋଦିନୀ ଦାଶଙ୍କ ସମେତ ବହୁ ବରିଷ୍ଠ ଡାକ୍ତରମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞ ଦଳ ହସ୍ପିଟାଲରେ ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ବୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଖୁବ୍ ଶୀଘ୍ର ଏହି ଚିକିତ୍ସା ସୁବିଧା କାର୍ଯ୍ୟକାରୀ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦ଟି ବେଡ଼ର ବ୍ୟବସ୍ଥା ରଖାଯିବ।

ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଟାଟା ମେମୋରିଆଲର ଏହି ମିଳିତ ପ୍ରୟାସ ଲୋକମାନଙ୍କ ପାଇଁ ବେଶ ଲାଭ ଦାୟକ ହେବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୁଭର୍ଣ୍ଣା କର କହିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ସହାୟତା ଏବଂ ଟାଟା ମେମୋରିଆଲ ହସ୍ପିଟାଲ କର୍ତୃପକ୍ଷଙ୍କ ବୈଷୟିକ ସହାୟତାରେ ଜିଲ୍ଲାରେ କର୍କଟ ରୋଗୀମାନେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Tags: #Hospital #Mayurbhanj #BaripadaPanditRaghunathMurmuMedicalCollegeAndHospital

LEAVE A REPLY

Please enter your comment!
Please enter your name here