ଓଡ଼ିଶାଲାଇଭ୍ ବ୍ୟୁରୋ

ମିଲେଟରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଅନନ୍ୟ ପଦକ୍ଷେପ ଓଡ଼ିଶା ମିଲେଟ ମିଶନ ତରଫରୁ ମିଲେଟକୁ ଏକ ବିକଳ୍ପ ପୁଷ୍ଟିକର ଖାଦ୍ୟ ଭାବେ ପ୍ରୋତ୍ସାହିତ କରିବା ତଥା ବାଜରା, ଯଅ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଭୁବନେଶ୍ୱର ସ୍ଥିତ ବକା କ୍ୟାଫେ ସହିତ ସହଭାଗିତା କରାଯାଇଛି।

ରାଜ୍ୟରେ ମିଲେଟର ବହୁଳ ପରିମାଣରେ ଅମଳ ଏବଂ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଙ୍କୁ ଯଥେଷ୍ଟ ପୁଷ୍ଟିକର ଆହାର ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଓଡ଼ିଶା ମିଲେଟ ମିଶନ ନାମକ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୁଷ୍ଟିରେ ଭରପୂର ମିଲେଟ ଚାଷକୁ ପ୍ରୋତ୍ସାହିତ କରିବା ତଥା ଜନଜାତିଙ୍କର ପାରମ୍ପରିକ ଖାଦ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ହେଉଛି ପ୍ରଥମ ପ୍ରକାରର କୃଷି ଭିତ୍ତିକ ପଦକ୍ଷେପ।

ଏହି ଅବସରରେ ବକାର ସେଫ୍ ଏବଂ ଓଡ଼ିଶା ମିଲେଟ ମିଶନର ବିଶେଷଜ୍ଞମାନଙ୍କର ସହଭାଗିତାରେ ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ଶୁଭାରମ୍ଭ କରାଯାଇଥିଲା। ମିଲେଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର କଣ୍ଟିନେଣ୍ଟାଲ, ମେକ୍ସିକାନ୍ ଏବଂ ବେକେରି ଖାଦ୍ୟ ଦ୍ରବ୍ୟ ଦ୍ୱାରା ଓଡ଼ିଶାର ମିଲେଟକୁ ବିଶ୍ୱସ୍ତରୀୟ ବଜାରରେ ଉପଲବ୍ଧ କରିବା,ବର୍ତ୍ତମାନର ପିଢ଼ିଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ସହ କୃଷକମାନଙ୍କର ଆୟ ବୃଦ୍ଧି କରିବା ଏହି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କ୍ୟାଫେ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଉପସ୍ଥିତ ଥିବା ରାଓର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଖାଦ୍ୟ ତାଲିକାରେ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟକୁ ବହୁଳ ମାତ୍ରାରେ ସ୍ଥାନ ଦେବାକୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅଭିନେତା ସତ୍ୟବ୍ରତ କୁନା ତ୍ରିପାଠୀ, ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଓଡ଼ିଶା(ରାଓ)ର ବୋର୍ଡ ସଦସ୍ୟ, ମାଇକେଲ କିଚେନ୍, ଦାୱତ, ଓଡ଼ିଶା ହୋଟେଲ, ପ୍ରାଣଗାନ (ମ୍ୟାଙ୍ଗୋ ହୋଟେଲ)ର ମାଲିକ, ବକା କ୍ୟାଫେର ସହ ପ୍ରତିଷ୍ଠାତା ସମୀର ହଂସ ଏବଂ ସତ୍ୟବ୍ରତ ସାନୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Tags: #HealthyFood #Millets #OdishaMilletsMission #BOCCACafe 

Comment