ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉପକୃତ ହେବେ ଦେଶର ୮୦ କୋଟି ହିତାଧିକାରୀ
  • ୨୦୨୦ରେ ଆରମ୍ଭ ହୋଇଥିଲା ଯୋଜନା
  • ଡିସେମ୍ବର ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗଣା ରାସନ
  • ୨୦୨୨ ମାର୍ଚ୍ଚରେ ବନ୍ଦ ହେବାର ଥିଲା ଯୋଜନା

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି। ଆଉ ତିନି ମାସ ମାଗଣାରେ ହିତାଧିକାରୀଙ୍କୁ ମିଳିବ ରାସନ ସାମଗ୍ରୀ। ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

କୋଭିଡ ମହାମାରୀ ସମୟରେ ଉପୁଜିଥିବା ସଙ୍କଟକୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହି ଯୋଜନା ଅନ୍ତର୍ଗତ ରାସନ କାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ବା ଗହମ ଯୋଗାଇ ଦିଆଯାଉଥିଲା। ପରେ ଏହି ସ୍କିମରେ ରାସନ କାର୍ଡ ନଥିବା ଗରିବ ଶ୍ରେଣୀର ଲୋକଙ୍କୁ ସାମିଲ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନାରେ ଏକ କିଲୋଗ୍ରାମ ଚଣା ଡାଲି ଓ ମସଲା ପ୍ୟାକେଟ ଦିଆଯାଇଥିଲା।

ପାର୍ବଣକୁ ଦେଖି କେନ୍ଦ୍ର ସରକାର ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ବିଚାର କରିଥିଲେ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୩ ମାସ ଏହି ଯୋଜନା ବୃଦ୍ଧି ହେବା ଫଳରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବଢ଼ିବ। ଗରିବ ଶ୍ରେଣୀର ଲୋକଙ୍କୁ ଦିଆଯାଉଥିବା ଅନ୍ନର ପରିମାଣ କମ୍ କରାଯିବାକୁ ଯୋଜନା ଥିଲା କିନ୍ତୁ ବର୍ତ୍ତମାନ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଏହି ଯୋଜନା ଦ୍ଵାରା ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ। ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୨ ମସିହା ମାର୍ଚ୍ଚ ମାସରେ ବନ୍ଦ ହେବାର ଥିଲା। ଏହାକୁ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Tags: #PradhanMantriGaribKalyanAnnaYojana #Extended #RationCard

Comment