ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ କୋରାପୁଟର ଚାଷୀଙ୍କୁ ରୋଜଗାର ଦେଉଛି ମହୁଚାଷ। ମହୁଚାଷ ପ୍ରତି ଆଗ୍ରହ କମାଉଥିବା କୋରାପୁଟର ଚାଷୀ ଏବେ ତାଲିମ ନେଇ ମହୁଚାଷ କରୁଛନ୍ତି ଏବଂ ସଂଗ୍ରହ କରୁଥିବା ମହୁକୁ ବିକ୍ରି କରି ଦୁଇପଇସା ରୋଜଗାର କରିପାରୁଛନ୍ତି।

କୋରାପୁଟ ଜିଲ୍ଲାରେ ନାବାର୍ଡ ଓ ହର୍ଷଟ୍ରଷ୍ଟର ମିଳିତ ସହଯୋଗରେ ଗତ ଜାନୁଆରି ୫ ତାରିଖରୁ ଆରମ୍ଭ ହୋଇଛି ମହୁ ଚାଷ ଯୋଜନା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଦୁଇଟି ବ୍ଲକ ନନ୍ଦପୁର ଏବଂ ବୈପାରିଗୁଡ଼ାଠାରେ ମହୁ ଚାଷ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଥିଲା। ମହୁମାଛି ସହ ବାକ୍ସ, ମହୁ ଫେଣା ମେସିନ ଏବଂ ଚାଷୀମାନଙ୍କୁ ତାଲିମ ସହ ଅନ୍ୟାନ୍ୟ କର୍ମଚରୀଙ୍କ ତାଲିମ ବାବଦକୁ ମୋଟ ୧ କୋଟି ୪୧ଲକ୍ଷ ୧୨ ହଜାର ୫୯୫ଟଙ୍କା ଖର୍ଚ୍ଚ ହୋଇଥିଲା।

ଗତ ୧୦ ମାସ ମଧ୍ୟରେ ୨,୪୫୫ କିଲୋ ମହୁ ସଂଗ୍ରହ କରି ପ୍ରାୟ ୨,୮୭,୦୦୦ ଟଙ୍କାରେ ବିକ୍ରି କରାଯାଇଛି। ଗନ୍ଧିଗୁଡ଼ା, ଆମ୍ବାପଡ଼ା, କିରାମ, ଡି ଖୁଡୁବ ଏବଂ ଅଣ୍ଡରି ଗ୍ରାମର ମୋଟ ୧୧୦ ଜଣ ଚାଷୀ ମହୁ ଚାଷରୁ ଉପକୃତ ହୋଇଛନ୍ତି। ମହୁ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ନାବାର୍ଡର ଓଡ଼ିଶା ମୁଖ୍ୟ ପିଡି ଡିଆରଡିଏ ଏବଂ କୋରାପୁଟ ଓରମାରସର କର୍ମକର୍ତ୍ତା।

ଲଗାଣ ବର୍ଷା, ଜଙ୍ଗଲ କୀଟ, ଫୁଲର ଅଭାବରୁ ମହୁମାଛି ସଂଖ୍ୟା କ୍ରମାଗତ ଭାବେ କମିବା ନେଇ ଚାଷୀଙ୍କ ମନୋବଳ ଭାଙ୍ଗିଯାଇଥିଲା। କିନ୍ତୁ ଚାଷୀଙ୍କ ମନୋବଳ ବଢ଼ାଇବାକୁ ନାବାର୍ଡ ଏବଂ ହର୍ଷ ଟ୍ରଷ୍ଟ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା, ଯାହା ଚାଷୀଙ୍କୁ ଏବେ ରୋଜଗାରକ୍ଷମ କରିବାରେ ସହାୟତା କରୁଛି। ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ି ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ନନ୍ଦପୁର ଡିଏମ କହିଛନ୍ତି।

Tags: #HoneyFarming #Koraput #Farmer #Income

Comment