ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜଣେ ନାବାଳକକୁ ହତ୍ୟା କରି ପୋଖରୀରେ ଫୋପାଡ଼ିବା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା  ବିସିଂହପୁର ଥାନା ପୋଲିସ। ଏ ନେଇ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କୋରାପୁଟ ଏଏସପି ଉତ୍କଳ କେଶରୀ ଦାଶ।

ସୂଚନା ଅନୁସାରେ ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡ଼ା ଗ୍ରାମର ନାବାଳକ ଅମୀର ଗତ ୬ ତାରିଖ ରାତିରେ ଯାତ୍ରା ଦେଖିବା ପାଇଁ ଯାଇ ଘରକୁ ଫେରିନଥିଲେ। ପରଦିନ ସକାଳେ ପୋଖରୀରେ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମୀରଙ୍କର ମୃତ ଦେହ ଉଦ୍ଧାର କରିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ଦୁଇ ସପ୍ତାହର ଖୋଳତାଡ଼ ପରେ ଆଜି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବିସିଂହପୁର ଥାନା ପୋଲିସ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନବରଙ୍ଗପୁର ଜିଲ୍ଲା ନୂଆଗୁଡ଼ା ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣେ କୁମୁଲି କୁମ୍ଭାରଗୁଡ଼ାର। ଗିରଫ ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳକୁ ଯାଇ ହତ୍ୟା ଘଟଣାର ସିନ୍ ରିକ୍ରିଏସନ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏଏସପି ସୂଚନା ଦେଇଛନ୍ତି।

Tags: #Koraput #MurderCase #ThreeArrested

Comment