ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଓଡ଼ିଶାକୁ ବାତ୍ୟା ଭୟ। ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡ଼ନ୍ତି ଓଡ଼ିଶାବାସୀ। କାରଣ ଏହି ମାସରେ ଲୋକେ ଦେଖିଛନ୍ତି ବାତ୍ୟାର ପ୍ରକୋପ। ଚଳିତ ମାସରେ ଆସୁଛି ଆଉ ଏକ ବାତ୍ୟା ‘ସିତ୍ରାଙ୍ଗ’। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଓଡ଼ିଶାବାସୀ।

କିନ୍ତୁ ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଦେଇଛି ଆଶ୍ଵସ୍ତିକର ଖବର। ଆଜିର ସ୍ଥିତିକୁ ଦେଖି ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସିଧାସଳଖ ମାଡ଼ ହେବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ଆସିବାକୁ ଥିବା ବାତ୍ୟା ‘ସିତ୍ରାଙ୍ଗ’।

ଗତ ୧୯ ତାରିଖ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ପୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଗୁରୁବାର ଦିନ ଏହି ଘୂର୍ଣ୍ଣିବଳୟ ଉତ୍ତର-ଆଣ୍ଡାମାନ ସାଗର ତତ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି ଏବଂ ଏହା ସହ ଜଡ଼ିତ ଘର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଛି।

ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆସନ୍ତା ୨୨ ତାରିଖବେଳକୁ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ତାରିଖ ବେଳକୁ ଏହାର ଆହୁରି ଘନୀଭୂତ ହୋଇ ୨୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ ହେବାକୁ ଥିବା ୭ଟି ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍‌ଆର୍‌ସି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର। ବାତ୍ୟା ଆଶାଙ୍କା ଯୋଗୁଁ ଦୀପାବଳି ଛୁଟି ବାତିଲ କରାଯାଇଛି। ଆସନ୍ତା ୨୩ ଏବଂ ୨୪ ତାରିଖରେ ଜିଲ୍ଲାପାଳମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ରାଜସ୍ଵ ମନ୍ତ୍ରୀ ପ୍ରମିଲ୍ଲା ମଲ୍ଲିକ ସୂଚନା ଦେଇଛନ୍ତି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଅସନ୍ତା ୨୧ ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାଲାଗି ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନଙ୍କୁ ଫେରିଆସିବା ଲାଗି କୁହାଯାଇଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ଆଜି ସନ୍ଧ୍ୟା ୫ଟାରେ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଏହି ବୈଠକରେ ଏସ୍‌ଆର୍‌ସିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

Tags: #Cyclone #Sitrang #LowPressure #IMD #Prediction #MeteorologicalCentre #Weather

Comment